ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ପାଟଣା,୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୨ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଏହି ରେଞ୍ଜ ସାହାରପଡ଼ା ସେକ୍ସନ ଗୋରାଣ୍ଡି ଯୋଡି ବିଟ୍‌ ଅନ୍ତର୍ଗତ ଖୁଞ୍ଛିବେଡା,ଦାସପଡ଼ା ଓ ଟଭାସରୁଆରେ ବୁଧବାର ରାତିରେ ବ୍ୟାପକ  ଧାନ, କଖାରୁ ଓ ମକାଚାଷ ନଷ୍ଟ କରିଛନ୍ତି। ଏଥିସହ ଏହି ହାତୀପଲ ବଡ଼ବିଲ ପଞ୍ଚାୟତ ଖୁଞ୍ଛିବେଡ଼ା ଗ୍ରାମର ଦୁଃଖିଆ ନାଏକଙ୍କ ୫ ବଖରା ଟାଇଲ ଘର, ସୁନେଇ ନାଏକ ଓ ଦୁଲାଲ ମହାରଣାଙ୍କ ଘରକୁ  ଭାଙ୍ଗି ଦେଇଛନ୍ତି। ହାତୀପଲ ଏବେ ଜଗନ୍ନାଥପୁର କାଜୁ ବଗିଚାରେ ଡେରା ପକାଇଛନ୍ତି। ଘର ଭାଙ୍ଗିଥିବା  ଲୋକଙ୍କ ନିକଟରେ ଗୁରୁବାର ସାହାରପଡ଼ା ସରପଞ୍ଚ ରୀନା ନାୟକ,୨୯ ନମ୍ବର ଜୋନ୍‌ ଜିଲାପରିଷଦର ଜିଲାପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼, ରେଞ୍ଜର ଘାସିନାଥ ପାତ୍ର ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିପଥ ଉପରେ ନଜର ରଖାଯାଇଛି।