ଫସଲ ନଷ୍ଟକଲେ ହାତୀପଲ

ବଅଁରପାଳ/ ବଇଣ୍ଡା,୨୩।୧୧ (ଡି.ଏନ.ଏ.): ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଛନ୍ତି। ଚାଷୀ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା, ଗଙ୍ଗାଧର ବେହେରା, ସନ୍ତୋଷ ଦାସ, ସତ୍ୟାନନ୍ଦ ସାହୁ, ଶ୍ରୀକାନ୍ତ ସାହୁ, ଉତ୍ତମ ପ୍ରଧାନ ଏବଂ ଏକାଦୋସିଆ ସାହୁଙ୍କ ପ୍ରାୟ ୭ରୁ ୮ଏକର ଧାନ ଫସଲ ଓ ଚାରିରୁ ପାଞ୍ଚ ଏକର ପରିବା ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଗତ ଏକ ମାସ ହେବ ୨୫ରୁ ୩୦ ହାତୀ ଅଙ୍ଗାରବନ୍ଧ ପଞ୍ଚାୟତରେ ଉପଦ୍ରବ ଚଳାଇଛନ୍ତି। ଫଳରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ୟାଙ୍କରୁ ଋଣ ଆଣି ଚାଷୀମାନେ ଯେଉଁ ଫସଲ କରିଥିଲେ ତାହାକୁ ହାତୀପଲ ସମ୍ପୂର୍ଣ୍ଣ ଭାବେ ଉଜାଡି ଦେଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିଛନ୍ତି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ସେହିପରି ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ରେଞ୍ଜ ଅଧୀନ ମଇମୁରା, କେଞ୍ଚୁଆନାଳି, କଂସାବ, ବିପ୍ରଡିହ ଆଦି ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏହାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ଅଞ୍ଚଳବାସୀ କହିଛନ୍ତି, ୧୦ରୁ୧୫ଟି ହାତୀ ସାତକୋଶିଆ ଅଞ୍ଚଳରୁ ଏହି ରେଞ୍ଜକୁ ପଳାଇ ଆସିଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାବେଳେ ହାତୀମାନେ ଧାନ କିଆରିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ପାଚିଲା ଧାନ ଖାଇବା ସହ ଗ୍ରାମକୁ ଯାଇ ପନିପରିବା ଚାଷ ମଧ୍ୟ ନଷ୍ଟ କରୁଛନ୍ତି। ଏପରି କି ଆକ୍ରମଣ ଭୟରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ହାତୀ ଘଉଡାଇବା ପାଇଁ ବହୁବାର ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟଠାରେ ଅଭିଯୋଗ କରାଗଲେ ମଧ୍ୟ ବନବିଭାଗ ହାତୀ ଘଉଡାଉ ନ ଥିବା ମଇମୁରା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉପାୟଶୂନ୍ୟ ହୋଇ ଅଞ୍ଚଳବାସୀ ନିଜେ ବାଣ କିଣି ଓ ନିଆଁ ହୁଳା ଜାଳି ହାତୀ ଘଉଡାଉଛନ୍ତି। ତୁରନ୍ତ ଏ ଦିଗରେ ପଦପେ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।