ଉତ୍ପାତ କରୁଛନ୍ତି ହାତୀପଲ

ଚମ୍ପୁଆ,୨୩।୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଶସ୍ୟ କ୍ଷେତ୍ର ନଷ୍ଟ କରିବା ସହ ଗ୍ରାମ ମଧ୍ୟକୁ ପ୍ରବେଶ କରି ଘର ଭାଙ୍ଗି ଚାଲିଛନ୍ତି। ଗତ ଜୁନ୍‌ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୨ଟି ଘର ହାତୀପଲ ଦ୍ୱାରା ଆଂଶିକ ଏବଂ କେତୋଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି। ବିଶେଷକରି ଚମ୍ପୁଆ ସେକ୍ସନରେ ହାତୀପଲ ରଜିଆ, କଇଁତା, କଶିରା, ବଶିରା, ଗିରିଧାରିପୁର, ମୁକୁନ୍ଦପୁର, ମିରିଗିସିଙ୍ଗା, ସରେଇ, ପତଳା, ଟୁଣୁଟୁଣା, ବର୍ଦ୍ଧନା, ପାରୁଡିପୋଶି, କାଟୁଳିକନା ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ବିଭିନ୍ନ ସମୟରେ ହାତୀଗୁଡ଼ିକ ପଲ ପଲ ହୋଇଆସୁଥିବା ବେଳେ ଅନେକ ସମୟରେ ଗୋଠ ଖଣ୍ଡିଆ ଦନ୍ତା ହାତୀର ଉପଦ୍ରବ ଚାଷୀମାନଙ୍କୁ ଅତିଷ୍ଠ କରୁଛି।
ବନ ବିଭାଗ ପକ୍ଷରୁ ୧୦ଜଣ ହାତୀ ସ୍କ୍ବାଡ୍‌ ନିଯୁକ୍ତି ହୋଇଥିବା ବେଳେ ଗ୍ରାମଗୁଡ଼ିକରେ ହାତୀ ବିଷୟରେ ସୂଚନା ଦେବା ଓ ଘଉଡ଼ାଇବାରେ ସହଯୋଗ ପାଇଁ ଗଜସାଥୀମାନଙ୍କୁ ରଖାଯାଇଛି। ମାତ୍ର ଅନେକ ସମୟରେ ହାତୀ ଘଉଡ଼ାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇପଡୁଥିବା ବେଳେ ସାଧାରଣ ଲୋକଙ୍କ ଘର ମାଟିରେ ମିଶିଯାଉଛି। ଏନେଇ ଚମ୍ପୁଆ ବନପାଳ କାଳନ୍ଦୀ ସାମଲ କହିଛନ୍ତି, ହାତୀ ଆସିଲେ ବନ ବିଭାଗ ୨୪ ଘଣ୍ଟିଆ ନଜର ରଖିବା ସହ ଜନବସତିଠାରୁ ଦୂରରେ ରଖିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ମାତ୍ର ବିଭିନ୍ନ ସମୟରେ ହାତୀପଲ ଘଞ୍ଚ ଜଙ୍ଗଲ ମଧ୍ୟରେ ଭାଗ ଭାଗ ହୋଇଯାଉଛନ୍ତି। ଏଣୁ ହାତୀପଲ ରହୁଥିବା ଗ୍ରାମଗୁଡ଼ିକର ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡ଼ାଯାଉଛି ଏବଂ ଘର ଭଙ୍ଗା ବାବଦରେ ତୁରନ୍ତ ପଦକ୍ଷେପ ସହ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି।