ହାତୀ ଉପଦ୍ରବ: ବନ ବିଭାଗକୁ କଲାଣି ନାକେଦମ

ପଡ଼ିଆବାହାଲ,୧୭ା୨(ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ଦୁଇ ସପ୍ତାହ ହେବ ହାତୀ ଉପଦ୍ରବ ଲାଗିରହିଛି। ଦୁଇଟି ଦଳରେ ହାତୀ ଲୋକଙ୍କ ବାଡିବଗିଚାରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ଦଳ ନିକଟସ୍ଥ ବାରିବନ୍ଧ ଅଞ୍ଚଳରେ ଉପଦ୍ରବ କରୁଥିବା ବେଳେ ଅନ୍ୟ ଦଳଟି ସାପଲହରା ବାନ୍ଦେନ ଅଞ୍ଚଳରେ କ୍ଷୟକ୍ଷତି ଘଟାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ହାତୀ ପଲ ବାରିବନ୍ଧ ଅଞ୍ଚଳର ସମୀର ପଧାନ ଓ ସରୋଜ ପଧାନଙ୍କ ପ୍ରାୟ ଦୁଇ ଏକର ଜମିର ମାଖନ ଫସଲ ଖାଇ ନଷ୍ଟ କରିଛନ୍ତି l ରାହାସ ବାରିକ, ପିଣ୍ଟୁ ପଧାନଙ୍କ ଆଳୁ କିଆରି, ଅନିଲ ବାରିକଙ୍କ କୋବି, ନୃପ ସାହୁ ଓ ପ୍ରଦୀପ ସିଂଙ୍କ କଦଳୀ ବଗିଚା ନଷ୍ଟ କରି ଦେଇଛନ୍ତି। ହାତୀମାନେ ଦିଗ ପରିବର୍ତ୍ତନ କରୁଥିବାରୁ ବନ ବିଭାଗର ୧୦ଜଣିଆ ଟିମ୍‌ ନାକେଦମ ହୋଇପଡୁଛନ୍ତି l ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।