ତୋଟାକୁ ଆମ୍ବ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଲୋଇସିଂହା,୨୧।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ।

ସୂଚନାଯୋଗ୍ୟ, ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଦରଲ୍ଲୀପାଲି ଗାଁର ବିରଞ୍ଚି ବୁଧବାର ଭୋର୍‌ରୁ ନିଜ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏତିକି ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ସମୟରେ ଦନ୍ତା ତାଙ୍କୁ ଗୋଡ଼ରେ ଦଳି ଦେଇଥିଲା। ପରିବାର ଲୋକଙ୍କ ଠାରୁ ଖବର ପାଇ ଲୋଇସିଂହା ବନ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସରକାରୀ ସହାୟତା ମିଳିବା ପ୍ରତିଶ୍ରୁତି ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ପୋଲିସ ପଠାଇଛି। ଏନେଇ ଲୋଇସିଂହା ଥାନାରେ କେସ୍‌ ନଂ. ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।