ମତ୍ସ୍ୟଜୀବୀଙ୍କୁ ଦଳିଦେଲେ

ବାରଙ୍ଗ,୨୫ା୯(ଡି.ଏନ୍‌.ଏ.) – ମାଛ ମାରିବାକୁ ମହାନଦୀକୁ ଯାଉଥିବାବେଳେ ହାତୀ ଆକ୍ରମଣରେ ନରାଜ କୈବର୍ତସାହିର ମତ୍ସ୍ୟଜୀବୀ ସୁଶାନ୍ତ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି। ଆଠଗଡ଼ରୁ ମହାନଦୀ ପାର ହୋଇ ଚନ୍ଦକା ଫେରୁଥିବା ହାତୀ ପଲ ତାଙ୍କୁ ଦଳିଦେଇଥିବା କୁହାଯାଉଛି। ତେବେ ଶନିବାର ସକାଳେ ତାଙ୍କ ମୃତଦେହ ମିଳିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାରୋକୋ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗର ଅଧିକାରୀମାନେ ଲୋକଙ୍କୁ ବୁଝାଶୁଝା କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ।

ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଆଠଗଡରୁ ଚନ୍ଦକାଜଙ୍ଗଲକୁ ଫେରୁଥିବାବେଳେ ମହାନଦୀ ସ୍ରୋତରେ ୩ ହାତୀ ଭାସି ଯାଇଥିଲେ। ଗୋଟିଏ ହାତୀ ମୁଣ୍ଡଳି ବ୍ରିଜରେ ଲାଗିଥିବା ବେଳେ ଅନ୍ୟ ୨ଟି ହାତୀ ମହାନଦୀ ପଠାରେ ଅଟକି ରହିଥିଲେ। ଶୁକ୍ରବାର ଉକ୍ତ ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ୍‌ର ବୋଟ୍‌ ମୁଣ୍ଡଳି ବ୍ରିଜ୍‌ ନିକଟରେ ଓଲଟିପଡିବାରୁ ଜଣେ ଯବାନ ଓ ଅନ୍ୟଜଣେ ଖବରଦାତାଙ୍କ ମୃତ୍ୟୁ ଘଟିଥିଲା। ତେବେ ୩ ସାଥୀଙ୍କୁ ନ ପାଇ ଅନ୍ୟ ୬ ହାତୀ ଚନ୍ଦକା ନ ଫେରି ନରାଜ ଗ୍ରାମ ନିକଟ ଜଙ୍ଗଲରେ ରହିଥିଲେ। ବିଳମ୍ବିତ ରାତିରେ ଏହି ହାତୀପଲ ଜଙ୍ଗଲରୁ ବାହାରି ନରାଜ ଗ୍ରାମ ଆଡେ ଆସିଥିଲେ। ଏହି ସମୟରେ ମାଛ ମାରିବାକୁ ଯାଉଥିବାବେଳେ ନରାଜ କୈବର୍ତ୍ତ ସାହିର ମତ୍ସ୍ୟଜୀବୀ ସୁଶାନ୍ତ ସେମାନଙ୍କ ହାବୁଡରେ ପଡିଯାଇଥିଲେ। ହାତୀପଲ ଦଳି ଦେବାରୁ ସୁଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଗ୍ରାମବାସୀ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ହୋହାହ୍ଲା କରିବା ସହ ରାସ୍ତାରୋକୋ ପାଇଁ ଉପସ୍ଥିତ ବନ କର୍ମଚାରୀଙ୍କୁ ଚେତାବନୀ ଦେଇଥିଲେ। ଏସିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ୪୦ ହଜାର ଟଙ୍କା ଓ ମାସକ ମଧ୍ୟରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ। ମୃତକଙ୍କ ପାଖରେ ହାତୀ ପାଦଚିହ୍ନ ରହିଛି। ହାତୀ ଆକ୍ରମଣ କରିଥିବା ସ୍ପଷ୍ଟ ପ୍ରମାଣ ମିଳୁଛି ବୋଲି ଏସିଏଫ୍‌ ମହାନ୍ତି କହିଛନ୍ତି।