ଶାଗ ତୋଳିବାକୁ ଯାଇଥିବା ବେଳେ ଆଈ, ନାତୁଣୀଙ୍କୁ ଦଳିଦେଲା ଦନ୍ତା

ବିଶୋଇ,୮।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ବଣ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସ୍ଥାନୀୟ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବିଶୋଇ ବ୍ଲକର ଦୁଧକୁଣ୍ଡି ଗ୍ରାମର କାନ୍ଦ୍ରୀ ମୁର୍ମୁ (୪୫) ଏବଂ ଖଡ଼ମବେଡା ଗ୍ରାମର ମେଘନା ବିନ୍ଧାଣି (୮)। ଗୁରୁତର ଜଣକ ହେଲେ ଧାନୀ ବିନ୍ଧାଣି (୩୦)।

ସୂଚନାଥାଉକି,ଏହି ୩ ଜଣ ଅନ୍ୟ ୪ ଜଣ ଗ୍ରାମବାସୀଙ୍କ ସହିତ ମିଶି ଜଙ୍ଗଲକୁ ଆଜି ସକାଳେ ଶାଗ ଓ ରାଇ ଫଳ ଆଣିବା ପାଇଁ ଯାଇଥିଲେ। ତେବେ ଜଙ୍ଗଲ ମଧ୍ୟରେ ଚାଲିକି ଯାଉଥିବା ସମୟରେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଥମେ ୮ ବର୍ଷର ମେଘନାଙ୍କୁ ଦଳି ଦେବା ପରେ ଆଈ କାନ୍ଦ୍ରୀ ମୁର୍ମୁଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆଈ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା। ପରେ ଧାନୀଙ୍କୁ ହାତୀଟି ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ସହାୟତାରେ ଧାନୀଙ୍କୁ ଉଦ୍ଧାର କରାଯାଇ ବାରିପଦା ପିଆରଏମ୍‌କୁ ପଠାଯାଇଥିଲା। ସୌଭାଗ୍ୟବଶତଃ ଅନ୍ୟ ୪ ଜଣ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।