ଡେରାବିଶରେ ହାତୀ ଆତଙ୍କ

ଡେରାବିଶ,୨୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ ବୁଧବାର ସକାଳେ ଏକ ବଣୁଆ ହାତୀ ଆତଙ୍କ ଖେଳାଇଛି। ଆଜି ସକାଳେ ଏହି ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମଦେଇ ଯାଇଥିବା ହରିଦାସପୁର-ପାରାଦ୍ୱୀପ ରେଳପଥ ନିକଟରେ ପ୍ରଥମେ ହାତୀଟି ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ରେଳ ଲାଇନ୍‌ ଅତିକ୍ରମ କରି ନୂଆହାଟ ପାଟ ଭିତର ଦେଇ ୫୩ ନଂ(କ) ଜାତୀୟ ରାଜପଥ ଅତିକ୍ରମ କରିବା ପରେ ହାତୀଟି ଜନବସତି ଆଡ଼କୁ ମାଡ଼ି ଚାଲିଥିଲା। ପ୍ରଥମେ ଲକ୍ଷ୍ମୀନାରାୟଣପୁର, ନୂଆହାଟ, ନରୁଆ ଗ୍ରାମ ଦେଇ ଡେରାବିଶ ଥାନା ପାର୍ଶ୍ୱ ଦେଇ ଯାଇଥିବା ରାସ୍ତାରେ ଗୋଲରାହାଟ, କାଜିପୁର ଭିତରେ ପଶି ବାଲିଆ ଗ୍ରାମ ଅଭିମୁଖେ ଯାଇଛି।

ତେବେ କେନ୍ଦ୍ରାପଡ଼ା ବନବିଭାଗ ପକ୍ଷରୁ ହାତୀକୁ ଆୟତ୍ତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ସେଥିରେ ବିଫଳ ହେବା ଦେଖିବାକୁ ମିଳିଛି ା ଡେରାବିଶରେ ପ୍ରଥମଥର ପାଇଁ ବଣୁଆ ହାତୀର ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ହାତୀଟି ଅପରାହ୍ନ ୨ଟା ସୁଦ୍ଧା କୌଣସି ଜନଜୀବନ ପ୍ରତି କ୍ଷତି ପହଞ୍ଚାଇନାହିଁ। ମାତ୍ର ସମ୍ପୃକ୍ତ ଅଞ୍ଚଳରେ ଥିବା ବିଲରୁ ବ୍ୟାପକ ଧାନଫସଲ ନଷ୍ଟ କରିଛି।