କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ ମୃତଦେହ ଉଦ୍ଧାର ପରେ ହାତୀମଡ଼କ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କ୍ରମାଗତ ଭାବେ ହାତୀ ମୃତ୍ୟୁ ଘଟଣା ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଗୋଟିଏ ଦିନରେ ଦୁଇଟି ହାତୀ ମୃତ୍ୟୁ ବନବିଭାଗର ନିଦ ହଜାଇଛି।
କୁଲଡ଼ିହା ଅଭୟାରଣ୍ୟ ଅଧୀନ ପଞ୍ଚଲିଙ୍ଗେଶ୍ୱର ବିଟ୍‌ ତଥା ବାଉଁଶବଣିଆ ପଞ୍ଚାୟତ ଗୁହାଳିଆ ଓ ଜୁଣିଆ ଗାଁର ଦେବଗିରି ପାହାଡ଼ ଫଟାଚତୁରୀ ନିକଟରେ ଏକ ବିଶାଳ ହାତୀର ମୃତଦେହ ପଡ଼ିରହିଥିଲା। ରବିବାର କୁଲଡ଼ିହା ବନବିଭାଗ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ପୋଡ଼ି ଦିଆଯାଇଥିଲା। କିନ୍ତୁ ମୃତଦେହଠାରୁ ମାତ୍ର କିଛି ଦୂରରେ ରାତିରେ ପୁଣି ଏକ ହାତୀଛୁଆର ମୃତଦେହ ପଡ଼ିରହିଥିବା ବନବିଭାଗ ଜାଣିବାକୁ ପାଇଥିଲା। ବାଲେଶ୍ୱର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଏସିଏଫ୍‌ଓ ସୁଶାନ୍ତ ଜେନା, କୁଲଡ଼ିହା ରେଞ୍ଜର ଅନନ୍ତ ଜେନା, ପ୍ରାଣୀ ଚିକିତ୍ସାଧିକାରୀ ଡା. ପୀୟୁଷ ସୋରେନଙ୍କ ସମେତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶିମିଳିପାଳରୁ ସନ୍ଧାନୀ କୁକୁର ମାଧ୍ୟମରେ ରବିବାର ରାତି ଓ ସୋମବାର ଦିନରେ ଅଭୟାରଣ୍ୟ ପାଦଦେଶ ଗ୍ରାମଗୁଡିକରେ ପ୍ରାଥମିକ ତଦନ୍ତ କରାଯାଇଥିବା ଦେଖାଯାଇଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବହୁ ସମୟରେ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ରହୁଥିବାରୁ ସେମାନେ ହାତୀକୁ ମାରିଦେଇଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀ ୧୫ରେ ଏକ ବିରାଟକାୟ ହାତୀର ଗଳିତ ମୃତଦେହ ମିଳିଥିଲା। ଉକ୍ତ ହାତୀଟିର ମୃତ୍ୟୁର ୧୦ ଦିନ ପରେ ବନବିଭାଗ ଜାଣିବାକୁ ପାଇଥିଲା। ମୃତଦେହକୁ ତରବରିଆ ଭାବେ ବନବିଭାଗ ପୋଡ଼ି ଦେଇଥିଲା।