Categories: କଟକ

ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ

ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର ଗ୍ରାମରେ ୩ ଟିକିଆ ହାତୀ ଉପଦ୍ରବ କରିଛନ୍ତି। ରବିବାର ରାତି ପ୍ରାୟ ୨ଟାରେ ଦାମୋଦରପୁର ଗ୍ରାମର ଫୁଲ ପ୍ରଧାନଙ୍କ ଖଳାରେ ହାତୀ ପଶି ଅମଳ ହୋଇ ରଖାଯାଇଥିବା ଧାନ ଖାଇବା ସହ ନଷ୍ଟ କରିଥିଲେ। ସେହିପରି ଆଉ କେତେଜଣ ଚାଷୀଙ୍କ ଅମଳ ଫସଲ ନଷ୍ଟ କରିବା ସହିତ ବସ୍ତା ଭିତରେ ରଖା ଯାଇଥିବା ଧାନକୁ ଫିଙ୍ଗି ଦେଇଛନ୍ତି। କେତେକ ଚାଷୀ କରଜରେ ଟଙ୍କା ଆଣି ଧାନଚାଷ କରିଥିଲେ। ଏବେ ହାତୀ ଦ୍ୱାରା ଫସଲ ନଷ୍ଟ ହେବା ପରେ କରଜ ଟଙ୍କା କେମିତି ଶୁଝିବେ, ତାହାକୁ ନେଇ ସେମାନେ ଚିନ୍ତାରେ ପଡିଛନ୍ତି। ସେହିପରି ଏହି ଗ୍ରାମର ଶିଶିର ପଣ୍ଡା, ଭରତ ରାଉତ, ଅନୀତା ରାଉତଙ୍କ ସମେତ କେତେଜଣ ଲୋକଙ୍କ ବାଡିବଗିଚାରେ ହାତୀ ପଶି ପନିପରିବା ଓ କଦଳୀ ଗଛ ନଷ୍ଟ କରିବା ପରେ ପାହାନ୍ତାରେ ଜଙ୍ଗଲ ଆଡେ ପଳାଇଛନ୍ତି। ଖବରପାଇ ଚୌଦ୍ୱାର ଫରେଷ୍ଟର ପୁରୁଷୋତ୍ତମ ସାହୁ ବନକର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ରବିବାର ସ୍ଥାନୀୟ ଦେବୀନଗର ଗ୍ରାମରୁ ୧୬ ଟିକିଆ ହାତୀପଲଙ୍କୁ ସାରକୋଳୀ ଜଙ୍ଗଲ ମୁହଁା କରାଯାଇଥିବା ବନବିଭାଗ ସ୍ପଷ୍ଟ କରିଥିବାବେଳେ ଉକ୍ତ ଘଟଣାକୁ ନେଇ ବିଭାଗ ହାତୀଙ୍କ ଗତିପଥ ଉପରେ କେତେ ନଜର ରଖୁଛି ତାହା ଆଲୋଚନାର ବିଷୟ ପାଲଟିଛି।