ଜି.ଉଦୟଗିରି ବନାଞ୍ଚଳରେ ହାତୀ ଉପଦ୍ରବ

ଜି.ଉଦୟଗିରି,୨୬ା୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୧୭ ଟିକିଆ ହାତୀ ପଲ ବନବିଭାଗ ଓ କେତେକ ଗ୍ରାମବାସୀଙ୍କ ନିଦ ହଜାଇ ଦେଲେଣି। ଏଇ ହାତୀପଲ ଜି.ଉଦୟଗିରି କଳିଙ୍ଗା ମଝିରେ ଥିବା ରାସ୍ତା ଉପରକୁ ମଧ୍ୟ ଚାଲି ଆସୁଛନ୍ତି। ଫଳରେ ରାତିରେ ରାସ୍ତାରେ ଯିବାକୁ ଲୋକେ ଭୟ କରୁଛନ୍ତି। କୁର୍ମିଙ୍ଗିଆ, ନନ୍ଦଗିରି, ଲଇରାଜୁ ଗ୍ରାମ ମାନଙ୍କରେ ହାତୀ ପଲ ପଶି କଦଳି ବଗିଚା ନଷ୍ଟ କରିଦେଇଛନ୍ତି। ଜି.ଉଦୟଗିରି ବନ ବିଭାଗ ରେଞ୍ଜକୁ ଲାଗି ଗଞ୍ଜାମ ଜିଲାର ଦର୍ପଙ୍ଗିଆ ରିଜର୍ଭ ଜଙ୍ଗଲ ଅଛି। ସେଠାରୁ ହାତୀ ମାନେ ଆସିଯାଇଥିବା ସନ୍ଦେହ କରାଯାଉଛି। ପାଚିଲା ପଣସ ଓ ଆମ୍ବ ଖାଇତ୍ାକୁ ହାତୀପଲ ଆସିଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ଜି.ଉଦୟଗିରି ବନ ବିଭାଗ ରେଞ୍ଜ ଅଫିସର ଯୋଗେନ୍ଦ୍ର ନାଥ ସେନାପତିଙ୍କୁ ପଚାରିବାରେ କହିଲେ ରାତ୍ର ପାଟ୍ରୋଲିଂ କରାଯାଉଛି। ହାତୀର ଗତିବିଧି ଲକ୍ଷ୍ୟ କରାଯାଉଛି। ଏଥିପାଇଁ ଏକ ସ୍କ୍ବାର୍ଡ଼ ଗଠନ କରଯାଇଛି ଓ ସେମାନେ ହାତୀର ଗତିବିଧି ଉପରେ ସୂଚନା ଦେଉଛନ୍ତି। ଜଙ୍ଗଲକୁ ଏ ଭିତରେ ଲୋକମାନଙ୍କୁ ନଯିବା ପାଇଁ କୁହାଯାଇଛି ଏବଂ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଥିଲେ।