ହାତୀ ଦାନ୍ତ ଜବତ, ଶିକାରୀ ଗିରଫ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଅନୁଗୋଳ ବନବିଭାଗ ସହାୟତାରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୁଗୋଳ ଜିଲା ଠାକୁରଗଡ଼ ଥାନା ରାଣିବନ୍ଧ ଗ୍ରାମର ସୁଦର ନାୟକ। ତାଙ୍କଠାରୁ ଗୋଟିଏ ହାତୀ ଦାନ୍ତ ଜବତ ହୋଇଛି। ତେବେ ଅଭିଯୁକ୍ତ ଜଣଙ୍କୁ ଏସ୍‌ଟିଏଫ୍‌ ଅନୁଗୋଳ ବନବିଭାଗକୁ ହସ୍ତାନ୍ତର କରିଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଆନ୍ତୁଳିଆ ନିକଟରେ ହାତୀ ଦାନ୍ତ ଡିଲ୍‌ ହେବାନେଇ ଏସ୍‌ଟିଏଫ୍‌ ଖବର ପାଇଥିଲା। ଏନେଇ ଏସ୍‌ଟିଏଫ୍‌ର ଏକ ଟିମ୍‌ ଅନୁଗୋଳ ବନବିଭାଗକୁ ଜଣାଇଥିଲା। ବନବିଭାଗ ଓ ଏସ୍‌ଟିଏଫ୍‌ ଟିମ୍‌ର ସଦସ୍ୟମାନେ ସେଠାରେ ପହଞ୍ଚତ୍ ପୂର୍ବରୁ ଛକି ରହିଥିଲେ। ଅଭିଯୁକ୍ତ ଏକ ବ୍ୟାଗରେ ହାତୀ ଦାନ୍ତ ପୂରାଇ ସେହି ସ୍ଥାନକୁ ଆସିଥିଲେ। ସେଠାରେ ସେ ଗ୍ରାହକଙ୍କୁ ଦେବାକୁ ଅପେକ୍ଷା କରିଥିବାବେଳେ ପୂର୍ବରୁ ଛକି ରହିଥିବା ଟିମ୍‌ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ଉଲ୍ଲେଖଯୋଗ୍ୟ, ଏସ୍‌ଟିଏଫ୍‌ର ରିପୋର୍ଟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ୧୮ ବାଘ ଛାଲ, ୧୦ଟି ହାତୀ ଦାନ୍ତ, ୨ ହରୀଣ ଚମଡ଼ା, ୫ ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୩୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।