୧୭ଦିନ ହେଲା ଲେମ୍ଭେଇ ଛାଡ଼ୁନାହିଁ ଦନ୍ତା

ଭଞ୍ଜନଗର,୨୫।୮(ଡି.ଏନ୍‌.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗତ ମାସରେ ୨ଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ଆଉ ଗୋଟିଏ ଦନ୍ତା ଏକୁଟିଆ ଘୂରିବୁଲୁଛି। ପ୍ରାୟ ୧୭ଦିନ ହେଲା ଉକ୍ତ ଦନ୍ତା ହାତୀଟି ଲେମ୍ଭେଇ, ହଳନ୍ଦଖୋଳା, ତିନିଛକିଆ, ବାରଦଣ୍ଡା, ବାଲିସାହି, ଦଲକ, ମାଣପୁର ଅଞ୍ଚଳରେ ଘୂରିବୁଲୁଛି। ଲୋକଙ୍କ ଧାନ ଓ ପନିପରିବା ଫସଲରେ ପଶି ବ୍ୟାପକ ନଷ୍ଟ କରୁଛି। ଫଳରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଫସଲ ସୁରକ୍ଷା ପାଇଁ ଚାଷୀମାନେ ହାତୀକୁ ଘଉଡ଼ାଇବାକୁ ରାତି ଉଜାଗର ରହୁଛନ୍ତି। ଅପରପକ୍ଷରେ ହାତୀର ସୁରକ୍ଷା ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ହାତୀର ଜୀବନ ପ୍ରତି ମଧ୍ୟ ବିପଦ ଅଛି। ତେଣୁ ଆଉ କିଛି ଅଘଟଣ ଯେଭଳି ନଘଟିବ ସେଥିପାଇଁ ବନ ବିଭାଗ କର୍ମଚାରୀମାନେ ହାତୀର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ହାତୀ ଫସଲ ଯେତିକି ନଷ୍ଟ କରୁଛି ତା’ ଠାରୁ କମ୍‌ କ୍ଷତିପୂରଣ ମିଳୁଛି । ଭାଗ ଚାଷୀମାନେ ଆବଶ୍ୟକ କାଗଜପତ୍ର ପାଖରେ ମହଜୁଦ ରଖୁ ନ ଥିବା ଯୋଗୁ ସେମାନଙ୍କୁ ଫସଲ କ୍ଷତିପୂରଣ ସହାୟତା ଦେବା ମଧ୍ୟ ବିଭାଗ ପକ୍ଷରୁ ସମ୍ଭବପର ହୋଇପାରୁନାହିଁ। ଯାହାକୁ ନେଇ ଭାଗଚାଷୀ ଓ ବନ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖାଦେଉଛି। ଲେମ୍ଭେଇର ଚାଷୀ ବୁଢ଼ା ପାତ୍ରଙ୍କ ଧାନ ଫସଲକୁ ମଙ୍ଗଳବାର ରାତିରେ ଦନ୍ତା ଦଳି ଚକଟି ନଷ୍ଟ କରିଦେଇଛି । ଫସଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ବୁଢ଼ା ଦାବି କରିଛି।