ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଷମକଟକ ଓ ଥେରୁବାଲି ରେଳ ଷ୍ଟେଶନ ମଧ୍ୟବର୍ତ୍ତୀ ରେଳ ଲାଇନ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ଚାରିଟି ହାତୀ ରେଳ ଲାଇନ ପାର୍ ହେଉଥିବା ସମୟରେ ଏକ ଇଞ୍ଜିନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଏଥିରେ ଗୋଟିଏ ଦନ୍ତା ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ହାତୀଗୁଡ଼ିକ ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ମୁନିଗୁଡ଼ା ରେଞ୍ଜର ପ୍ରବୀଣ କୁମାର ଦାସ, ମୁନିଗୁଡ଼ା ଫରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ, ବିଷମକଟକ ଫରେଷ୍ଟରଙ୍କ ସମେତ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭେଟେରିନାରୀ ବିଭାଗର ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ମୃତ ଦନ୍ତା ହାତୀର ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।