ଭାଲୁଡୁଙ୍ଗୁରୀ ହାତୀପଲଙ୍କ ଉପଦ୍ରବ:ଧାନ ଫସଲ ନଷ୍ଟ, ଚାଷୀ ଆତଙ୍କିତ

ଅମରପାଲି,୧୪ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଗତ ବିଳମ୍ବିତ ରାତିରେ ପ୍ରାୟ ୮ଟି ହାତୀ ଗ୍ରାମ ନିକଟସ୍ଥ ଚାଷ ଜମିରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଫଳରେ ୨ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ସୂଚନା ଅନୁଯାୟୀ, ଗ୍ରାମର ଶମ୍ଭୁ ପ୍ରସାଦ ସାହୁ ଓ ପବିତ୍ର ସାହୁଙ୍କ ପ୍ରାୟ ଏକ ଏକର ଚାଷ ଜମିରେ ହାତୀପଲ ପଶି ପାଚିଲା ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ହାତୀଙ୍କ ଉପଦ୍ରବ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ପରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମିଳିତ ଭାବେ ହାତୀପଲଙ୍କୁ ଘଉଡ଼ାଇଥିଲେ। ଖବରପାଇ ସକାଳୁ ବନ ବିଭାଗ କର୍ମଚାରୀ ଚାଷ ଜମିରେ ପହଞ୍ଚତ୍ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଶୁକ୍ରବାର ରାତି ସୁଦ୍ଧା ହାତୀପଲ ହାତିଲିମୁଣ୍ଡା ଫରେଷ୍ଟ ବିଟ ଅଧୀନ ଗୌଡ଼ଗାଡ଼ ସଂରକ୍ଷିତ ଜଙ୍ଗଲରେ ଥିବା ସୂଚନା ମିଳିଛି। ବନ ବିଭାଗ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ପଛେ ପଛେ ଅନୁସରଣ କରୁଛନ୍ତି। ଏହି ଅଞ୍ଚଳ ରେଢ଼ାଖୋଲ ଓ ବୀରମହାରାଜପୁର ସୀମାନ୍ତରେ ରହିଥିବାରୁ ଉଭୟ ଅଞ୍ଚଳର ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି ବୀରମହାରାଜପୁର ବନ ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସହାୟତାରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏ ସମ୍ପର୍କରେ ହାତିଲିମୁଣ୍ଡା ବନପାଳ ଶଙ୍କର ବାଘଙ୍କୁ ପଚାରିବାରେ, ରେଢ଼ାଖୋଲ ଅଞ୍ଚଳର ଜଙ୍ଗଲରୁ ଏକ ହାତୀପଲ ଏଠାକୁ ଆସିଥିବା ସେ କହିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ସହ ଚାଷୀଙ୍କ ଫସଲ ଯେପରି ଆଉ କ୍ଷତିଗ୍ରସ୍ତ ନ ହୁଏ, ସେଥିପାଇଁ ବନ ବିଭାଗ ସଜାଗ ରହିଛି। କ୍ଷତିଗ୍ରସ୍ତ ଚାଷ ଜମିର ଆକଳନ ପରେ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

Share