ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି।
ଶନିବାର ଅପରାହ୍ନରେ ହାତୀପଲ ନଦୀର ବନ୍ୟା ଜଳରେ ପ୍ରବେଶ କରି ବେଶ୍ କିଛି ସମୟ ଧରି କୌତୁକିଆ ଜଳକ୍ରୀଡ଼ା କରିଥିଲେ। ହାତୀମାନଙ୍କର ଏପରି ଆନନ୍ଦଦାୟକ କ୍ରୀଡ଼ା ଦେଖିବା ପାଇଁ ନଦୀ କୂଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଉପସ୍ଥିତ ଲୋକମାନେ ଏହି ଅପୂର୍ବ ଦୃଶ୍ୟକୁ ନିଜ ନିଜ ମୋବାଇଲ କ୍ୟାମେରାରେ ଫଟୋ ଓ ଭିଡିଓ ମାଧ୍ୟମରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯହା ବେଶ୍ ଭାଇରାଲ ହୋଇଛି।
ଅନ୍ୟପକ୍ଷରେ, ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ହାତୀ ଓ ମନୁଷ୍ୟ ସଂଘର୍ଷକୁ ଏଡ଼ାଇବା ଏବଂ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ହାତୀମାନଙ୍କଠାରୁ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବାକୁ ସଚେତନ କରାଯାଇଛି।