ହାତୀ ମୃତ୍ୟୁ ମାମଲା: ବନ୍ଧା ହେଲେ ୩ ବନ କର୍ମଚାରୀ

ବାରିପଦା ଅଫିସ,୧୪।୧୨: ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହାତୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବନ ପରେ ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଜ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା। ଜେନାବିଲରେ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳି ନ ଥିଲା। ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣାର ସୁରାକ ମିଳିଥିଲା। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା। ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ନଦୀରେ ଫିଙ୍ଗିଦେଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଯାଞ୍ଚ ପରେ ଘଟଣାସ୍ଥଳରୁ କିଛି ହାଡ ଖଣ୍ଡ ମିଳିଥିଲା । ଏଥିସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା। ଏନେଇ ହାଇକୋର୍ଟରେ ପିସିସିଏଫ୍‌ ଦୋଷ ମାନିଥିଲେ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ହାତୀ ମୃତ୍ୟୁ ରୋକିବାକୁ ଜଏଣ୍ଟ ଟାସ୍କଫୋର୍ସ କ’ଣ କରିଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦେବେ ପିସିସିଏଫ୍‌ ।