ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ହାତୀ ମୃତ

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ହାତିବାରି-ବନ୍ଦେର ସଂରକ୍ଷିତ ଜଙ୍ଗଲରୁ ରବିବାର ସକାଳେ ଏକ ଦନ୍ତା ହାତୀର ମୃତହେଦ ଠାବ ହୋଇଥିଲା। ବନ ବିଭାଗ ହାତୀର ମୃତଦେହ ଜବତ କରିଥିଲା। ଖବରପାଇ ଘଟଣାସ୍ଥଳରେ ଭୁବନେଶ୍ୱରରୁ ଏସ୍‌ଟିଏଫ ଟିମ୍‌ ସହ ସମ୍ବଲପୁର ଆରସିିସିଏଫ ଅରୁଣ ମିଶ୍ର, ଡିଏଫଓ ବିଶ୍ୱନାଥ ନୀଳାମ୍ବରନ ପହଞ୍ଚିଥିଲେ। ବନ୍ୟପ୍ରାଣୀ ମୁଖ୍ୟତଃ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ଏହାକୁ ଜଙ୍ଗଲରେ ପୋତି ଦିଆଯାଇଛି। ଡା. ନବୀନ ଖୁଣ୍ଟିଆ, ଡା. କେ.ଏମ ନଝର, ଡା. ପଲ୍ଳବି ପଟେଲଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ ହାତୀର ବ୍ୟବଛେଦ କରିଥିଲେ। ଏସ୍‌ଟିଏଫ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ। ପାରିପାଶ୍ୱିକ ସ୍ଥିତି, ପ୍ରମାଣ, କିଭଳି ଭାବେ ଶିକାର କରାଯାଇଛି ସେନେଇ ଟିକିନିଖି ତଦନ୍ତ କରିଥିଲେ। ଶିକାର ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ବନ ବିଭାଗ ୫ ଜଣଙ୍କୁ ଉଠାଇ ନେଇଥିଲା। ପଚରାଉଚରା କରିବା ପରେ ୩ ଜଣଙ୍କ ସଂପୃକ୍ତି ଥିବା ଜାଣି ଅଟକ ରଖିଛି। ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ପି. ମିର୍ଦ୍ଧା (୩୦), ଡି. ମିର୍ଦ୍ଧା ( ୨୮) ଓ ବି. ମିର୍ଦ୍ଧା ( ୩୨) । ଘଟଣାସ୍ଥଳରୁ ଶିକାର ପାଇଁ ବ୍ୟବହୃତ କେତେକ ସାମଗ୍ରୀ ଜବତ କରାଯାଇଛି ା ଏହି ଘଟଣାରେ ଅଧିକ ଲୋକଙ୍କ ସଂପୃକ୍ତି ରହିଥିବା ନେଇ ବନ ବିଭାଗ ସନ୍ଦେହ କରି ତଦନ୍ତ କରୁଛି। ହେଲେ ଛାଡି ଦେଇଥିବା ଯୁବକମାନଙ୍କ ମଧ୍ୟରେ ଜଣେ ଯୁବ ରାଜନେତାଙ୍କ ପୁତୁରା ରହିଛନ୍ତି। ଉକ୍ତ ନେତାଙ୍କ ସହ ତାଙ୍କ ସମର୍ଥକମାନେ ସଦର ରେଞ୍ଜ ଅଫିସକୁ ଯାଇ ଅଟକ ରଖିଥିବା ପୁତୁରାଙ୍କୁ ଛାଡିବାକୁ କହିଥିଲେ। ପରେ ନେତାଙ୍କ ପୁତୁରା ଓ ଅନ୍ୟ ଜଣେ ଯୁବକଙ୍କୁ ବନ ବିଭାଗ ଛାଡି ଦେଇଥିଲା। ଅନ୍ୟପଟେ ଏକ ଚୁକ୍ତିନାମା ମଧ୍ୟ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୨ ବର୍ଷ ହେବ। ଦନ୍ତାର ମୃତ୍ୟୁ ହେବା ପରେ ଦାନ୍ତ ନେବାକୁ ଦୁର୍ବୃତ୍ତମାନେ ଚେଷ୍ଟା କରି ବିଫଳ ହୋଇଥିଲେ। ଦୁଇଦାନ୍ତ ସୁରକ୍ଷିତ ଭାବେ ରହିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଟକ ଥିବା ଯୁବକମାନେ ଶିକାରରେ ସାମିଲ ଥିବା ବନ ବିଭାଗ ଆଗରେ ସ୍ବୀକାର କରିଛନ୍ତି। ଶୁକ୍ରବାର ପୁଷ୍ପପୁନି ତିହାର ରହିଥିଲା। ତେଣୁ ପୂର୍ବ ରାତିରେ ବନ୍ୟପ୍ରାଣୀ ଶିକାର କରି ମାଂସକୁ ଭୋଜିଭାତ କରି ଖାଇବା ଓ ବିକ୍ରି କରିବା ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ହେଲେ ବାର୍‌ହା, କୁଟୁରା ବଦଳରେ ହାତୀପଲରୁ ଗଜରାଜ ଫାଶରେ ପଡି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା। ଦୁର୍ବତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ବିଛା ଯାଇଥିବା ତାରକୁ ନେଇ ଯାଇଥିଲେ। ଫଳରେ ଅଞ୍ଚଳରେ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଏ ସମ୍ପର୍କରେ ଡିଏଫଓ ନୀଳାମ୍ବରନ କହିଛନ୍ତି ଯେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି। ୩ ଜଣଙ୍କୁ ଅଟକ ରଖାଯାଇଛି। ମୃତଦେହ ରିପୋର୍ଟ ଆସିବା ପରେ ଠିକ ବୟସ ଓ କେବେ ମୃତ୍ୟୁ ହୋଇଛି ଜଣାପଡିବ ବୋଲି କହିଥିଲେ।