କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ ଚତୁର୍ଥୀର ଦିନକ ପୂର୍ବରୁ ହାତୀ ଛୁଆର ଏହି ଜନ୍ମକୁ ଶୁଭ ବୋଲି ବିବେଚନା କରାଯାଉଛି ଏବଂ ଉକ୍ତ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି କରିଛି।
ଏହାକୁ ମିଶାଇ, ଉକ୍ତ ହାତୀ ପଲରେ ମୋଟ ହାତୀ ସଂଖ୍ୟା ୨୨ରେ ପହଞ୍ଚିଛି।
ବନ ବିଭାଗର ଏକ ଟିମ୍ ରାତିସାରା ହାତୀ ପଲ ସହିତ ଛୁଆ ହାତୀର ଗତିବିଧି ଉପରେ ନଜର ରଖିଥିଲେ । ନବଜାତ ଛୁଆଟି ସୁରକ୍ଷିତ ଓ ସକ୍ରିୟ ଥିବା ଦେଖିବାକୁ ମିଳିଛି ଏବଂ ତାହା ମା’ ଠାରୁ କ୍ଷୀର ପିଇବା ସହ ପଲ ସହିତ ଚଳପ୍ରଚଳ କରୁଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦୁଝରର ଡିଭିଜନାଲ୍ ଫରେଷ୍ଟ ଅଫିସର ଧନରାଜ ଏଚ୍.ଡି. କହିଛନ୍ତି ଯେ, ମା’ ଓ ଛୁଆର ସୁରକ୍ଷା ପାଇଁ ବନ ବିଭାଗର କର୍ମଚାରୀମାନେ କ୍ରମାଗତ ଭାବେ ହାତୀ ପଲ ଉପରେ ନଜର ରଖିଛନ୍ତି। ଗଣେଶ ଚତୁର୍ଥୀର ଶୁଭ ଅବସରରେ ଏହି ଛୁଆର ଜନ୍ମ ଏକ ଆନନ୍ଦଦାୟକ ମୁହୂର୍ତ୍ତ ଏବଂ ଏହି ଅଞ୍ଚଳରେ ହାତୀ ସଂରକ୍ଷଣ ଦିଗରେ ଏହା ଏକ ସକାରାତ୍ମକ ସଙ୍କେତ ।

