ଯୁବକଙ୍କୁ କଚାଡି ମାରିଲା ଦନ୍ତା

ନୀଳଗିର,୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନିଳଗିରି ବ୍ଳକ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ରାସ୍ତା ମଝିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ କଚାଡି ମାରି ଦେଇଛି। ସେ ହେଲେ ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ବାରାଗଡିଆ ଗ୍ରାମର ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ସିଂ(୨୫)। ଶ୍ୟାମସୁନ୍ଦରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ମୁତାବକ, ଶ୍ୟାମସୁନ୍ଦର ଶୁକ୍ରବାର ଅପରାହ୍ନରେ ଗ୍ରାମ ପାଖ ନକୁଳକୁଅଁର ହାଟକୁ ସଉଦା କିଣିବାକୁ ଯାଇଥିଲେ। ହେଲେ ସେ ରାତିରେ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନ ଥିଲେ। ଶନିବାର ସକାଳେ ଜଙ୍ଗଲରେ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଖବର ମିଳିଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପାରିପାଶ୍ୱିକ ସ୍ଥିତରୁ ଶ୍ୟାମସୁନ୍ଦରଙ୍କୁ ହାତୀ ସୁଣ୍ଢରେ କଚାଡି ମାରିଥିବା ଜଣାପଡିଛି। ଖବରପାଇ ନୀଳଗିରି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଲୋକାରଣ୍ୟ ହେବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ମୁତାବକ କୁଲଡିହା ଅଭୟାରଣ୍ୟର ଏକ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ରହୁଛନ୍ତି। ସନ୍ଧ୍ୟା ହେଲେ ହାତୀ ବାହାରକୁ ଚାଳିଆସି କ୍ଷୟକ୍ଷତି କରୁଥିବା ନେଇ ସ୍ଥାନୀୟ ଲୋକେ ବନବିଭାର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ନୀଳଗିରି ବନବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ ହାତୀଙ୍କୁ ନ ଘଉଡାଇବାରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।