ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ ହାତୀ ପଲ ଗାଁରେ ପ୍ରବେଶ କରି ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ଗାଁର କିଛି ଲୋକଙ୍କ ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ଓ ଘରୋଇ ସାମଗ୍ରୀ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ହାତୀ ଭୟରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଘର ଛାଡ଼ି ପଳାଇଥିଲେ।

ସୂଚନା ଅନୁଯାୟୀ, ଶନିବାର ରାତିରେ ପ୍ରାୟ ୧୦ଟି ହାତୀ ବିଶିଷ୍ଟ ଏକ ପଲ ଜଙ୍ଗଲରୁ ବାହାରି ଲିଙ୍ଗମଝୋଲା ଗାଁରେ ପଶିଥିଲେ। ହାତୀମାନେ ଗାଁର କେତେକ ମାଟିଘର ଭାଙ୍ଗିବା ସହ ଘରେ ସଂଚିତ ରଖାଯାଇଥିବା ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଖାଇଯିବା ସହ ନଷ୍ଟ କରିଦେଇଛନ୍ତି। ଏପରିକି ଘର ଭିତରେ ଥିବା ହାଣ୍ଡି, ଡେକଚି ଆଦି ବାସନକୁସନ ଚାପି ଦେବା ସହ ଲୋକେ ଜଙ୍ଗଲରୁ ସଂଗ୍ରହ କରି ରଖିଥିବା ଆମ୍ବକୁ ମଧ୍ୟ ଦଳିଚକଟି ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ରାତି ପ୍ରତିପହରରେ ହାତୀଙ୍କ ଗର୍ଜନ ଓ ଉପଦ୍ରବ ଶୁଣି ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ। ନିଜ ଜୀବନ ବିକଳରେ ସେମାନେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣାରୁ ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ତେବେ ହାତୀ ପଲ ପୁଣିଥରେ ଗାଁକୁ ଫେରିବା ଭୟରେ ଏବେ ମଧ୍ୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରିବା ସହ ହାତୀ ଘଉଡ଼ାଇବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

Dharitri – Odisha’s No.1 Odia Daily

Share