ବିପଦସଙ୍କୁଳ ଅବସ୍ଥାରେ ଲହଣ୍ଡାବୁଡ ଗ୍ରାମର ମୁକୁଳା ବିଦ୍ୟୁତ୍‌ ତାର

ସୁନ୍ଦରଗଡ଼, ୧୪।୧୨ (ଡି.ଏନ.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ମୁକୁଳା ବିଦ୍ୟୁତ୍‌ ତାର। ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱରେ ଥିବା ବେଳେ ସେଠାରୁ ଗ୍ରାମକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ତାର ମାତ୍ର ୩ ଫୁଟ ଉପରେ ମୁକୁଳା ଅବସ୍ଥାରେ ରହିଛି। ଏପରିକି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ କୌଣସି ତାରବାଡ କିମ୍ବା ପାଚେରି ନ ଥିବାରୁ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ତଳୁ ସବୁବେଳେ ଗାଇଗୋରୁ ଯିବା ଆସିବା କରୁଥିବା ବେଳେ ଛୋଟପିଲାମାନେ ମଧ୍ୟ ପାଖରେ ଖେଳିଥାନ୍ତି। ଅନ୍ୟପଟେ ବିଦ୍ୟୁତ୍‌ ଖୁମ୍ବରୁ ଯାଇଥିବା ତାର ଝୁଲି ରହିଥିବାରୁ ଯାତାୟାତରେ ମଧ୍ୟ ବିପଦ ଦେଖାଦେଉଛି। ଏପରିକି ୪ଚକିଆ ଯାନ ମଧ୍ୟ ଯାତାୟାତ ବେଳେ ଅସୁବିଧା ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିବା ମୁକୁଳା ତାର ଗଛ ମଧ୍ୟ ଦେଇ ଯାଇଥିବାରୁ ଗଛକୁ ଛୁଇଁଲେ ମଧ୍ୟ ବିଦ୍ୟୁତ୍‌ ସରବରାହ ସେଥିରେ ରହିଥିବା ଜଣାଯାଉଛି। ଆହୁରି ମଧ୍ୟ ଘର ଛାତକୁ ଲାଗି ଏହି ମୁକୁଳା ବିଦ୍ୟୁତ୍‌ ତାର ଯାଇଥିବାରୁ ଅନେକ ସମୟରେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି। ବିଦ୍ୟୁତ୍‌ ବିଭାଗ ଅନେକ କର୍ମଚାରୀ ଏହାକୁ ଦେଖି ନ ଦେଖିବା ପରି ଚୁପ୍‌ହୋଇ ରହୁଥିବାରୁୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛିଦିନ ପୂର୍ବରୁ ବିଦ୍ୟୁତ୍‌ ସଟସର୍କିଟ ଯୋଗୁ ଗ୍ରାମର ଅନେକ ଲୋକଙ୍କ ଅନେକ ବିଦ୍ୟୁତ୍‌ ଉପକରଣ ନଷ୍ଟ ହୋଇଥିଲା। ଆଗକୁ ଅନ୍ୟ କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।