ବିଦ୍ୟୁତ୍‌ ଫାଶରେ ପଡ଼ି ଦନ୍ତାହାତୀ ମୃତ

ଅନୁଗୋଳ ଅଫିସ,୨୮।୮: ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା ସାତକୋଶିଆ ବନଖଣ୍ଡର ପମ୍ପାସର ରେଞ୍ଜ ଜଗନ୍ନାଥପୁର ନିକଟରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ମୃତ ହାତୀର ବୟସ ୩୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ପମ୍ପାସର ରେଞ୍ଜରେ କିଛି ଦିନ ହେବ ଜନ୍ତୁ ଶିକାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ରାତିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଶିକାରୀ ଜଗନ୍ନାଥପୁର ବଡ଼ଝରଣ ଠାରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରରୁ ଜିଆଇ ତାର ସାହାଯ୍ୟରେ ହୁକ ପକାଇ ଜନ୍ତୁ ଶିକାର ପାଇଁ ଫାଶ ବସାଇଥିଲେ। ହେଲେ ସେହି ବାଟ ଦେଇ ଯାଉଥିବା ଦନ୍ତା ହାତୀଟି ବିଦ୍ୟୁତ୍‌ ଫାଶରେ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ଶିକାରୀମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ରାତ୍ରି ପାଟ୍ରୋଲିଂ କରୁଥିବା ବନ ବିଭାଗର କେତେଜଣ କର୍ମଚାରୀ ହାତୀର ମୃତଦେହ ଦେଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଶନିବାର ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା, ଏସିଏଫ୍‌ ଶୁଭେନ୍ଦୁ ବେହେରା, ସାତକୋଶିଆ ଭିଏସ୍‌ କିଶୋର ଚନ୍ଦ୍ର ସାହୁ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ହାତୀର ମୃତଦେହକୁ ସେଠାରେ ପୋତି ଦେଇଥିଲେ। ଘଟଣାର ତଦନ୍ତ ଚାଲିଥିବା ସାତକୋଶିଆ ଡିଏଫ୍‌ଓ ପଣ୍ଡା ପ୍ରକାଶ କରିଛନ୍ତି।