ଝାରବନ୍ଧ, ୧୨।୩(ଦେବେନ୍ଦ୍ର ସାହୁ) – ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଭୈସାଦର୍ହା ଗ୍ରାମର ଜଣେ ସରଳ ମେଧାବୀ ଝିଅ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧକରିଦେଇଛି । ମୃତଛାତ୍ରୀ ଜଣକ ହେଲେ ଗ୍ରାମର ଟେଙ୍ଗନୁ ଛତରଙ୍କ ଝିଅ ବୀଣା । ସେ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ରୀ ଥିଲେ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଜନୈକ ଚାଷୀ ଗଭୀର ନଳକୂପ ମାଧ୍ୟମରେ ଚାଷ କରିଥିଲେ । ଚାଷ କରିଥିବା ଏରିଆରେ ଗାଈ ଗୋରୁ ଠାରୁ ରକ୍ଷା ପାଇବା ପାଇଁ ଲୁହା ତାର ବାଡ ଦେଇ ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ। ତେବେ ବୀଣା ଝିଅ ଗାଧୋଇବା ପାଇଁ ସେହି ନଳକୂପକୁ ଯାଇ ତାରବାଡର ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେ ବିଦ୍ୟୁତ୍ ଆଘାତ ପାଇ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ବସନା (ଛତିଶଗଡ଼) ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।


