ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ ୩୩ କେଭି ବିଦ୍ୟୁତ ଲାଇନ୍ ସ୍ୱାଭାବିକ ଥିବାବେଳେ ୧୧ କେଭି ବିଦ୍ୟୁତ ସେବା ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଫଳରେ ୧୦ରୁ ଅଧିକ ପଞ୍ଚାୟତ ଅନ୍ଧାରରେ ରହିଛି। ଅଞ୍ଚଳରେ ବିଳମ୍ବିତ ରାତିଠାରୁ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଥିବା କୁହାଯାଉଛି।
ପ୍ରକାଶ ଯେ, ରବିବାର ସିର୍ତ୍ତିଗୁଡ଼ା ୨୨୦ କେଭି ନୂତନ ଗ୍ରିଡ୍ର କାର୍ଯ୍ୟ ପାଇଁ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବ ବୋଲି ବିଭାଗ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ଘୋଷିତ ସମୟର ପ୍ରାୟ ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ହୋଇଯିବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି।
ସିମନବାଡିଠାରେ ନୂତନ ସବ୍ଷ୍ଟେସନ୍ ସ୍ଥାପନ କରାଯାଇଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇନଥିବାରୁ ଶହ ଶହ ଉପଭୋକ୍ତା ଦୀର୍ଘ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ପ୍ରତି ଜିଲା ପ୍ରଶାସନ ମଧ୍ୟ ନିରବ ରହିଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି।