ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିବାକୁ ଲାଗିଛି। ବିଶ୍ୱସ୍ତରରେ ଗ୍ୟାସ, ପେଟ୍ରୋଲ-ଡିଜେଲ ଏବଂ ଅଶୋଧିତ ତୈଳ ସହିତ କୋଇଲା ଆମଦାନୀ ଓ ପରିବହନ ଖର୍ଚ୍ଚରେ ବହୁତ ବୃଦ୍ଧି ଘଟିଛି। ଏହାଦ୍ୱାରା ଦେଶରେ କୋଇଲା ଏବଂ ଜାଳେଣି ମହଙ୍ଗା ହୋଇଛି, ଯେଉଁଥିପାଇଁ ବିଦ୍ୟୁତ କିଣିବା ମଧ୍ୟ ମହଙ୍ଗା ହୋଇଯାଇଛି। ବିଜୁଳି କମ୍ପାନୀଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି। କମ୍ପାନୀଗୁଡ଼ିକୁ କ୍ଷତିରୁ ବଞ୍ଚାଇବା ପାଇଁ ବିଜୁଳି ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (DERC) ଆଜି ତିନୋଟି ବିଜୁଳି କମ୍ପାନୀ BRPL, BYPL ଏବଂ TPDDL କୁ ପାୱାର ପର୍ଚେଜ ଆଡଜଷ୍ଟମେଣ୍ଟ ଚାର୍ଜ (PPAC) ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ପୂର୍ୱରୁ ଏହି ଚାର୍ଜ ପ୍ରତି ୩ ମାସରେ ଥରେ ଆଦାୟ କରାଯାଉଥିଲା, କିନ୍ତୁ ଏବେ ଏହା ପ୍ରତି ମାସରେ ଆଦାୟ କରାଯିବ। ଏଭଳି ପରିସ୍ଥିତିରେ ଜୁନ ମାସରେ ବିଜୁଳି ବିଲ ବଢ଼ିଯାଇପାରେ। ଏହାର ସିଧାସଳଖ ପ୍ରଭାବ ସେହି ଗ୍ରାହକମାନଙ୍କ ଉପରେ ପଡ଼ିବ, ଯେଉଁମାନେ ପ୍ରତି ମାସରେ ୫୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କରନ୍ତି। ତେବେ ୨୦୦ ୟୁନିଟ ଏବଂ ୨୦୦ ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଗ୍ରାହକଙ୍କ ବିଲ ସବସିଡି ଯୋଗୁଁ ଶୂନ (Zero) ରହିବ।

ସୂତ୍ର ଅନୁସାରେ, ଦିଲ୍ଲୀରେ ବିଜୁଳି ୧ ରୁ ୩.୩୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ। କମର୍ସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ (ଦୋକାନ ଏବଂ କାରଖାନା) ଗ୍ରାହକଙ୍କ ବିଜୁଳି ବିଲରେ ସିଧାସଳଖ ୧୫% ରୁ ୨୦% ପର୍ଯ୍ୟନ୍ତ ବଡ଼ ବୃଦ୍ଧି ଘଟିବ। ୫୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କର ଏପ୍ରିଲ ଏବଂ ମେ ମାସର ବିଲ ଯାହା ଜୁନ ମାସରେ ଆସିବ, ସେଥିରେ ୭ ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସରଚାର୍ଜ ଲାଗିପାରେ।

ପାୱାର ପର୍ଚେଜ ଆଡଜଷ୍ଟମେଣ୍ଟ ଚାର୍ଜ (PPAC) ହେଉଛି ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକଠାରୁ ବିଜୁଳି କିଣିବାର ଖର୍ଚ୍ଚ ଭରଣା କରିବା ପାଇଁ ଗ୍ରାହକମାନଙ୍କଠାରୁ ଆଦାୟ କରାଯାଉଥିବା ଏକ ଶୁଳ୍କ (ଫିସ)। ଦେଶର ୨୫ରୁ ଅଧିକ ରାଜ୍ୟରେ ଏହି ଚାର୍ଜ ପୂର୍ୱରୁ ହିଁ ଆଦାୟ କରାଯାଉଛି। ବିଜୁଳି ବିତରଣ କମ୍ପାନୀ (DISCOMs) ଗୁଡ଼ିକୁ ପାୱାର ଜେନେରେଟରମାନଙ୍କୁ ସମୟ ଅନୁସାରେ ଟଙ୍କା ପୈଠ କରିବାକୁ ପଡ଼ିଥାଏ। ଯଦି PPAC ଆଦାୟ କରାନଯାଏ, ତେବେ କମ୍ପାନୀଗୁଡ଼ିକର ଆୟ ହେବନାହିଁ, ଯାହାର ସୁଧର ବୋଝ ଶେଷରେ ବିଜୁଳି ଗ୍ରାହକମାନଙ୍କ ଉପରେ ହିଁ ପଡ଼ିବ। ଏହି ବୋଝକୁ କମ୍ପାନୀଗୁଡ଼ିକ ସମୟ ସୂଚୀ ଅନୁଯାୟୀ ଚାର୍ଜ ଆଦାୟ କରି କମ କରିଦିଅନ୍ତି। ଏଭଳି ପରିସ୍ଥିତିରେ, ଉଭୟ ସ୍ଥିତିରେ ଆର୍ଥିକ ବୋଝ ସାଧାରଣ ଲୋକଙ୍କ ଉପରେ ହିଁ ପଡ଼ିବ।

Share