ଭଡ଼ାରେ ଚାଲିଛି ବିଦ୍ୟୁତ୍‌ ଥାନା

କଟକ ଅଫିସ,୩୧।୮: ବିଦ୍ୟୁତ ଚୋରି ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ବିଦ୍ୟୁତ ଥାନା ରହିଛି। ଏହି ଥାନା ବିଗତ ୪୦ ଦିନରେ ବେଆଇନ ଭାବେ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଏହି ଥାନା ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାବେଳେ ମୌଳିକ ସମସ୍ୟା ଲାଗିରହିଛି। ଭଡ଼ା ସୂତ୍ରରେ ଅନ୍ୟ ଏକ ସରକାରୀ କାର୍ଯ୍ୟାଳୟରେ ଥାନା କାର୍ଯ୍ୟ ଚାଲିଛି। ପୋଲିସ ଭ୍ୟାନ୍‌ ଖରାପ ହୋଇ ପଡ଼ିିରହିଥିଲେ ମଧ୍ୟ ମରାମତି କରାଯାଉନାହିଁ।
୨୦୦୪ରେ କଟକର ଯୋବ୍ରାରେ ସ୍ବତନ୍ତ୍ର ବିଦ୍ୟୁତ ଥାନା ସ୍ଥାପନ କରାଯାଇଥିଲା। କିଛିଦିନ ତଳେ ସେହି କୋଠାକୁ ସହର ବିକାଶ ପାଇଁ ଭଙ୍ଗାଯାଇଛି। ଦେଢ ବର୍ଷ ହେଲା ଜୋବ୍ରା ବନ୍ଦୋବସ୍ତ କାର୍ଯ୍ୟାଳୟ ପରିସରରେ ଏହି ଥାନା ଭଡ଼ାରେ ଚାଲୁଛି। ଏହି ଥାନାରେ ଜଣେ ଇନ୍ସପେକ୍ଟର, ୨ସବ୍‌ଇନ୍ସପେକ୍ଟର (ଏସ୍‌ଆଇ), ୨ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର (ଏଏସଆଇ), ଜଣେ ହେଡ୍‌ କନଷ୍ଟେବଳ ଏବଂ ୧୨ଜଣ କନଷ୍ଟେବଳ ପଦବୀର ପ୍ରାବଧାନ ରହିଛି। କିନ୍ତୁ ଏବେ ଏଠାରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଓ ୪ଜଣ କନଷ୍ଟେବଳ ରହିଛନ୍ତି। ଗୋଟିଏ ଏସ୍‌ଆଇ ଏବଂ ୮ କନଷ୍ଟେବଳ ପଦବୀ ଖାଲିପଡ଼ିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଚଢାଉ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନ ଥିବା ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ହୁକିଂ ଓ ମିଟର ବାଇପାସ୍‌ ମାଧ୍ୟମରେ ବିଦ୍ୟୁତ୍‌ ଚୋରି ହୋଇଥାଏ। ତାହାକୁ ରୋକିବାକୁ ବିଦ୍ୟୁତ ଥାନା କାର୍ଯ୍ୟ କରୁଛି। ପୂର୍ବରୁ ବିଦ୍ୟୁତ ଥାନା ନିମନ୍ତେ ସେସୁ ପକ୍ଷରୁ ଏକ ଟାଟା ସୁମୋ ଗାଡ଼ି ଦିଆଯାଇଥିଲା। ଫଳରେ ଚଢାଉ କରାଯାଇ ମାମଲା ରୁଜୁ ସହ ଜରିମାନା ପୂର୍ଣ୍ଣମାତ୍ରାରେ ଆଦାୟ କରାଯାଉଛି। କିନ୍ତୁ ଗତ ବର୍ଷେ ହେଲା ଗାଡ଼ିି ଖରାପ। ତଥାପି ଗତ ଜୁଲାଇ ୧୯ରେ ଦାୟିତ୍ୱ ନେବା ପରେ ଆଜିପର୍ଯ୍ୟନ୍ତ ୪୨ ଦିନରେ ବେଆଇନ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସତ୍ତ୍ବେ ଘରୋଇ କମ୍ପାନୀର ନିଘା ନାହିଁ। ଉକ୍ତ ଘରୋଇ ସଂସ୍ଥା ମରାମତି ପାଇଁ ୨୦ ଦିନ ହେଲା ପୋଲିସ ଗାଡ଼ିି ନେଇଛି। କିନ୍ତୁ ମରାମତି କରୁନାହିଁ କି ଫେରାଉ ନାହିଁ। ତେଣୁ ଚଢାଉ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ। ଘରୋଇ କମ୍ପାନୀ ପକ୍ଷରୁ ସେମାନଙ୍କ କର୍ମଚାରୀଙ୍କ ସହ ଯିବାକୁ କୁହାଯାଉଛି। କିନ୍ତୁ ଜଣେ ଥାନା ଅଧିକାରୀଙ୍କ ପକ୍ଷେ ତାହା ସମ୍ଭବ ନୁହେଁ। ପୋଲିସ ଗାଡ଼ିରେ ଗଲେ ନିୟମ ଉଲ୍ଲଂଘନକାରୀଙ୍କ ମନରେ ଭୟ ସଂଚାର ହେବା ସହ ଜରିମାନା ଆଦାୟ କରିବାରେ ସହାୟକ ହେବ। ସେହିପରି ଥାନାରେ ମୌଳିକ ସୁବିଧା ନାହିଁ। ଶୌଚାଳୟର କବାଟ ଭାଙ୍ଗିଯାଇଛି। ଫଳରେ ମହିଳା କର୍ମଚାରୀମାନେ ୩୦୦ ମିଟର ଦୂର ମାଲଗୋଦାମ ଥାନାକୁ ଶୌଚ ଲାଗି ଯାଉଛନ୍ତି। ପାଣି ସୁବିଧା ମଧ୍ୟ ନାହିଁ। ଯଦି ଏହି ଥାନାକୁ ଗାଡ଼ିି ସହ ଅନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାନ୍ତା ତେବେ ଅଧିକ ରାଜସ୍ବ ଆଦାୟ କରାଯାଇପାରନ୍ତା ବୋଲି ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି।