ମୋହନା,୧୪।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ଅନ୍ତରବା ଗ୍ରାମକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଛକଠାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍ ଖୁଣ୍ଟ। ନୂତନ ଭାବେ ରାସ୍ତା ଉପରେ ପିଚୁ ପଡ଼ୁଥିବା ବେଳେ ବିଭାଗୀୟ ଅଧିକାରୀ ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିନାହାଁନ୍ତି। ରାତି ପାହିଲେ ଏହି ରାସ୍ତା ଦେଇ ବିଭିନ୍ନ ଗ୍ରାମରୁ ଓ ମୋହନା ଅଞ୍ଚଳରୁ ଶହ ଶହ ବାଇକ, ଅଟୋ, ବସ, ଟ୍ରକ ଆଦି ଚଳାଚଳ କରୁଛି । କେତେବେଳେ ଏହି ରାସ୍ତା ଉପରେ ରହିଥିବା ବିଦ୍ୟୁତ ଖୁଣ୍ଟ ଲୋକଙ୍କ ପାଇଁ ଦୁର୍ଘଟଣାର କାଳ ହେବ ଏଥିପାଇଁ ଦାୟୀ କିଏ ରହିବେ ବୋଲି ପ୍ରଶ୍ନ ଉଠୁଛି। ଏଣୁ ଧନ ଜୀବନ ନଷ୍ଟ ହେବା ପୂର୍ବରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ଟିପିଏସଓଡ଼ିଏଲ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକଙ୍କୁ ପଚ଼ାରିବାରୁ ସେ କହିଛନ୍ତି ବିଭାଗ ପକ୍ଷରୁ ଇଷ୍ଟମେଟ କରି ପିଡବ୍ଲ୍ୟୁଡ଼ି ବିଭାଗକୁ ଦିଆଯାଇଛି । ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରିବା ସେମାନଙ୍କ କାମ । ଅପରପକ୍ଷେ ପିଡ଼ବ୍ଲ୍ୟୁଡ଼ି ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀ କହିଛନ୍ତି ଯଥା ଶୀଘ୍ର ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରାଯିବ ।