Categories: ଫୁରସତ

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ସହ ପିଲାଙ୍କୁ ରାତିରେ ପାଠ ପଢ଼ିବାକୁ ସମସ୍ୟା ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଅକ୍ଷୟ ଶକ୍ତି ଉତ୍ତରପ୍ରଦେଶ ହରଦୋଇ ବ୍ଲକର କଥୋଁଲିଆ ଗ୍ରାମବାସୀଙ୍କ ପାଇଁ ବରଦାନ ପାଲଟିଛି। ଏଠାରେ ଅକ୍ଷୟ ଶକ୍ତି ଘରକୁ ଘର ପହଞ୍ଚୁଛି। ଆଉ ଏଥିପାଇଁ ଖର୍ଚ୍ଚ କରିବା ପଡ଼ୁଛି ମାସକୁ ମାତ୍ର ଶହେ ଟଙ୍କା। ଏହି ଗାଁର ଭାନୁ ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୬୦ଟି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ଲଣ୍ଠନ ରଖିଛନ୍ତି। ଆଉ ଏହି ଲଣ୍ଠନଗୁଡ଼ିକୁ ଘରେ ହିଁ ସୌର ଶକ୍ତିରେ ଲାଗିଥିବା ପ୍ୟାନେଲ ଦ୍ୱାରା ଚାର୍ଜ କରିଥାନ୍ତି। ଚାର୍ଜ ହେବା ପରେ ସନ୍ଧ୍ୟାରେ ଗାଁର ଲୋକମାନେ ଏହି ଲଣ୍ଠନକୁ ନେଇଯାଇଥାନ୍ତି। ରାତିସାରା ଘରେ ଜଳାଇବା ପରେ ସକାଳକୁ ପୁଣି ଫେରେଇ ଦିଅନ୍ତି। ଏହି ଲଣ୍ଠନ ପ୍ରାୟ ୮ ଘଣ୍ଟା ଧରି ଜଳୁଥିବା ବେଳେ ପ୍ରତିଦିନ ଏଭଳି ଚାଲେ। ସୂଚନା ମୁତାବକ, ଏହି ଯୋଜନା ୟୁନିୟନ ବ୍ୟାଙ୍କ ଓ ଏଫ୍‌ ଦାର୍ପୁରର। ଏହାର ପ୍ରତିବଦଳରେ ଲୋକଙ୍କୁ ମାସକୁ ଶହେ ଟଙ୍କା ଦେବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୋଟିଏ ମାସ ପାଇଁ ଲଣ୍ଠନ ଜଳାଇ ପୁଣି ସକାଳେ ଗ୍ରାମବାସୀ ଫେରାଇ ଦିଅନ୍ତି ବୋଲି ଭାନୁ ପ୍ରତାପ କହିଛନ୍ତି।

Share