ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିଦ୍ୟୁତ୍ ବିଭାଗର(ଏସ୍ଡିଓ) ସବଡିଭିଜନ ଅଫିସରେ କାର୍ଯ୍ୟରତ ପୂର୍ବତନ ଆକାଉଣ୍ଟଟେଣ୍ଟ(ହିସାବ ରକ୍ଷକ) ଅଜିତ କୁମାର ମିଶ୍ର ଲାଞ୍ଚ ମାମଲାରେ ଗୁରୁବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି।
ଭବାନୀପାଟଣା ଜିଲା ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ବିଚାରପତି ବଦ୍ରୀ ନାରାୟଣ ନନ୍ଦ ମାମଳାର ବିଚାର କରି ଅଭିଯୁକ୍ତ ପୂର୍ବତନ ଆକାଉଣ୍ଟଟେଣ୍ଟ ମିଶ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ବ୍ଲକ ଗୋପୀନାଥପୁର ଗ୍ରାମର ସରଜୁ ପାଢ଼ୀ ନାମକ ଜଣେ ଉପଭୋକ୍ତାଙ୍କୁ ତାଙ୍କ ବିଦ୍ୟୁତ୍ ବକେୟା ବିଲର ସମାଧାନ କରିଦେବା ପାଇଁ ଆକାଉଣ୍ଟଟେଣ୍ଟ ମିଶ୍ର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉପଭୋକ୍ତା ପାଢ଼ୀ ଆକାଉଣ୍ଟଟେଣ୍ଟ ମିଶ୍ରଙ୍କନାମରେ ଗତ ୨୦୧୯ ଅକ୍ଟୋବର ୨ ତାରିଖରେ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଅଭିଯୋଗ କରିଥିଲେ। ଏହାର ଦିନକ ପରେ ଅର୍ଥାତ ୩ତାରିଖରେ ଉପଭୋକ୍ତା ପାଢ଼ୀଙ୍କଠାରୁ ଆକାଉଣ୍ଟଟେଣ୍ଟ ମିଶ୍ର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଧରିବାରରେ ସଫଳ ହୋଇଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଧୀର କୁମାର ପଣ୍ଡା ଏବଂ ଇମ୍ରାନ ଖାଁ ପରିଚାଳନା କରିଥିଲେ।


