ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍‌ ସଂଯୋଗ,ବୃଦ୍ଧ ମୃତ

ଚଣ୍ଡିଖୋଲ,୧୧।୧(ଡି.ଏନ.ଏ.): ଫୁଲ ଚୋରି ରୋକିବା ପାଇଁ ଜଣେ ଶିକ୍ଷକ ନିଜ ବାଡିରେ ଥିବା ତାର ବାଡରେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ସେହି ତାରବାଡ଼ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ସୋମବାର ମୃତ୍ୟୁ ଘଟିଛି। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ବିଦ୍ୟୁତ୍‌ ସଂଯୋଗ କରିଥିବା ଘର ମାଲିକଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ସାଉଡିଆ ଗ୍ରାମରେ ଘର କରି ରହୁଥିବା ଶିକ୍ଷକ ସଞ୍ଜୟ କୁମାର ଦାସଙ୍କ ବାଡିରୁ ବାରମ୍ବାର ଫୁଲ ଚୋରି ହେଉଥିଲା। ଫୁଲ ଚୋରିକୁ ରୋକିବା ପାଇଁ ବାଡି ଚାରିପଟେ ଲାଗିଥିବା ତାରରେ ସେ ବିଦ୍ୟୁତ୍‌ ସଂଯୋଗ କରିଥିଲେ। ସୋମବାର ଭୋର ସମୟରେ ସେହି ଗ୍ରାମର ଇନ୍ଦ୍ରମଣି ମହାନ୍ତି(୭୦) ଫୁଲ ତୋଳିବାକୁ ଯାଇ ତାରବାଡ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପ୍ରଥମେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଇନ୍ଦ୍ରମଣିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଇନ୍ଦ୍ରମଣିଙ୍କ ମୃତ୍ୟୁ ପାଇଁ ଶିକ୍ଷକ ସଞ୍ଜୟଙ୍କୁ ଦାୟୀକରି ଗ୍ରାମବାସୀ ତାଙ୍କ ଘର ସାମ୍ନାରେ ପାଟିତୁଣ୍ଡ କରିଥିଲେ। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ସଞ୍ଜୟଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପରେ ଇନ୍ଦ୍ରମଣିଙ୍କ ପୁତୁରା ସୁଦର୍ଶନଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୬/୨୨) ରୁଜୁ କରିଥିଲା। ହତ୍ୟା ଅଭିଯୋଗରେ ଶିକ୍ଷକ ସଞ୍ଜୟ ଦାସଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।