Categories: ଜାତୀୟ

କରୋନା ଟିକା ନେବାକୁ ମନା କରିବାରୁ ଘରର ବିଜୁଳି କାଟିଦେଲେ, ଅଭିଯୋଗ ଆଣିଲେ ପରିବାର ଲୋକେ

ଭୋପାଳ,୧୮ା୯: ବଡ଼ଓ୍ବାନିରେ କରୋନା ଟିକାକରଣକୁ ନେଇ ପ୍ରଶାସନ ନାମରେ ଏକ ବଡ଼ ଅଭିଯୋଗ ହୋଇଛି। ଟିକାକରଣର ମହାଭିଯାନରେ ଶୁକ୍ରବାର ବଡ଼ଓ୍ବାନିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ପୂଜା ଷ୍ଟେଟ୍‌ କଲୋନୀରେ ରହୁଥିବା ଓ୍ବାହିଦ୍‌ ଖାନ୍‌ଙ୍କ ପରିବାର ସଦସ୍ୟ ଟିକା ନ ନେବାରୁ ପ୍ରଶାସନ ବିଜୁଳି କାଟିବା ସହ ତାଙ୍କ ରାଶନକାର୍ଡ ମଧ୍ୟ ନେଇଯାଇଛନ୍ତି। ଏପରି ଅଭିଯୋଗ କରିଛନ୍ତି ଓ୍ବାହିଦ। ସେ କହିଛନ୍ତି, ଆମ ପରିବାରର ୩ ସଦସ୍ୟ। ଶୁକ୍ରବାର ସକାଳେ ଏସ୍‌ଡିଏମ୍‌, ସିଏମ୍‌ଓଙ୍କ ସହିତ ଟିକାକରଣ ଟିମ୍‌ ଆମ ଘରେ ପହଞ୍ଚିଥିଲେ। ଏହି ଟିମ୍‌ ଆମେ ଟିକା ନେଇଛୁ କି ନାହିଁ ପଚାରିଥିଲେ। ଆମର ଆଲର୍ଜି ହେଉଥିବାରୁ ଟିକା ନେଇନାହୁଁ ବୋଲି କହିବାରୁ ଉକ୍ତ ଟିମ୍‌ ଆମ ଘରର ବିଜୁଳି କାଟିବା ସହ ଆମର ରାଶନକାର୍ଡ ମଧ୍ୟ ନେଇଯାଇଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ନେଇ ଏସ୍‌ଡିଏମ୍‌ ଘନଶ୍ୟାମ ଧନଗର କୁହନ୍ତି, ଟିକା ନେବା ପାଇଁ ଲୋକଙ୍କଠାରେ ଆଗ୍ରହ ଜମାଇବାକୁ ଚାଉଳ ଦିଆଯାଉଛି। ତଥାପି ଲୋକେ ସଚେତନ ହେଉନାହାନ୍ତି। ଯଦି ଆମ ଟିମ୍‌ ଏପରି କିଛି କରିଥିବ ତେବେ ତଦନ୍ତ କରାଯାଇ ତୁରନ୍ତ ତାଙ୍କ ପରିବାରକୁ ବିଜୁଳି କନେକ୍ସନ ଦିଆଯିବ।

Share