ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ ଘଣ୍ଟିକିଆ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ବରପଦାସ୍ଥିତ ଆଗରପଡ଼ା ସେକ୍ସନ କାର୍ଯ୍ୟାଳୟରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଭଦ୍ରକ ସାଉଥ୍‌ ଇଲେକ୍ଟ୍ରିକାଲ ଡିଭିଜନର ସମ୍ପାଦକ ଜିତେନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ମାରକପତ୍ର ଟିପିଏନ ଓଡିଏଲର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ୨୦୨୧ରୁ ଏହି କର୍ମଚାରୀମାନେ ଅତି ନିଷ୍ଠାର ସହ ବିଦ୍ୟୁତ ସେବା ଯୋଗାଇ ଆସୁଛନ୍ତି। ବିଶେଷ କରି ବିଦ୍ୟୁତ ବଣ୍ଟନ ରକ୍ଷଣାବେକ୍ଷଣ ଏବଂ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ କର୍ମଚାରୀଙ୍କ ପରିଶ୍ରମ ଯୋଗୁ ଏଟିଏସି କ୍ଷତିର ପରିମାଣ ୨୫.୧୭% ରୁ ହ୍ରାସ ପାଇ ପ୍ରାୟ ୭.୬୬% ରେ ପହଞ୍ଚିଛି ଯାହା କମ୍ପାନୀକୁ କୋଟି କୋଟି ଟଙ୍କାର ଲାଭ କରାଇଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଛଟେଇ କରିବା ସେମାନଙ୍କ ପରିବାର ପ୍ରତି ଘୋର ଅନ୍ୟାୟ ବୋଲି ସଂଘ କହିଛି। ସଂଘର ପ୍ରମୁଖ ଦାବି ମଧ୍ୟରେ ବାହ୍ୟସ୍ରୋତ ଓ ବିଏ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ତୁରନ୍ତ ବନ୍ଦ କରାଯାଉ। ଅଭିଜ୍ଞ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦିଗରେ ବିଚାର କରାଯାଉ। ୧୯୪୭ ଶିଳ୍ପ ବିବାଦ ଆଇନ ଧାରା ୨୫ ଏଫ୍‌ ଏବଂ ୨୫ଏନ୍‌ କଡ଼ାକଡ଼ି ପାଳନ କରାଯାଉ l ଟିପିଏନ୍‌ ଓଡିଏଲରେ ଖାଲିଥିବା ସମସ୍ତ ବୈଷୟିକ ପଦବୀକୁ ତୁରନ୍ତ ପୂରଣ କରାଯାଉ। ଦୁର୍ଘଟଣାର ଶିକାର ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ଥଇଥାନ ଓ ସହାୟତା ପ୍ରଦାନ କରାଯିବା ନେଇ ଦାବି ଉପସ୍ଥାପନ କରାଯାଇଛି। ଯଦି କର୍ତ୍ତୃପକ୍ଷ ଏହି ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ସଂଘ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଶ୍ରମିକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

ଏହି ଧାରଣାରେ ଆଗରପଡ଼ା ସେକ୍ସନ ସଂଯୋଜକ ମନୋରଞ୍ଜନ ଜେନା, ସହକାରୀ ସାଧାରଣ ସମ୍ପାଦକ ମାନସ ବେହେରା, ବନ୍ତ ସେକ୍ସନର ସତ୍ୟାନନ୍ଦ ସୂତାର, ତପନଜିତ୍‌ ମହାନ୍ତି, ଆଗରପଡ଼ା ସେକ୍ସନର ସିପକ ପଣ୍ଡା, ନରେନ୍ଦ୍ର କୁମାର ପ୍ରଧାନ, ଉପସଭାପତି ପ୍ରସନ୍ନ କୁମାର ମହାନ୍ତି, ଅଶୋକ ଶଙ୍ଖୁଆ, ନରେନ୍ଦ୍ର ପାଳ, ମନୋଜ ରାଉତ, କୁଳମଣି ସାହୁ, ରାଜେଶ ମହାପାତ୍ର, ପୀତାମ୍ବର ପତି, ଶିବଶଙ୍କର ମୁଦୁଲି, ସୁଦର୍ଶନ ଦାସଙ୍କ ସମେତ ଶତାଧିକ ଶ୍ରମିକ ଓ କର୍ମଚାରୀ ଉପସ୍ଥିତ ରହି ନିଜର ହକ୍‌ ପାଇଁ ସ୍ବର ଉତ୍ତୋଳନ କରିଥିବା ଦେଖାଯାଇଛି।

Dharitri – Odisha’s No.1 Odia Daily

Share