ମହାକାଳପଡ଼ା, ୨୫।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଦୁଇ ହାତରେ ପୋଡ଼ା ଦାଗ ରହିଥିବାବେଳେ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇ ଶିକାରୀ ଫେରାର ଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଞ୍ଚଳର ଭୋପାଳ-ଓସ୍ତିରା ମୌଜାସ୍ଥିତ ବିଶ୍ୱବ୍ୟାଙ୍କ ଚିଙ୍ଗୁଡ଼ି ଘେରି ପ୍ରକଳ୍ପ ନିକଟ ଚାଷଜମିରେ ଏହି ଅଘଟଣ ଘଟିଛି। ବାର୍ହା ଶିକାର ପାଇଁ ଚାଷଜମି ନିକଟରେ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ଏଥିରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକ ଭୋପାଳ ମୌଜାର ଅଶ୍ୱସ୍ତ ନାୟକ (୪୫) ବୋଲି ଜଣାପଡ଼ିଛି। ତାଙ୍କ ଦୁଇ ହାତରେ ପୋଡ଼ା ଦାଗ ରହିଥିବା ବେଳେ ପକେଟରୁ ଏକ ଟର୍ଚ୍ଚ ଲାଇଟ ମିଳିଛି। ବିଦ୍ୟୁତ ବାଇଣ୍ଡିଂ ତାର ସଂସ୍ପର୍ଶରେ ଆସି ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।
ମୃତକଙ୍କ ପତ୍ନୀ ସାବିତ୍ରୀ ନାୟକ ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗ୍ରାମର କିଛି ସାଥୀ ତାଙ୍କ ସ୍ବାମୀଙ୍କୁ ଡାକି ବାର୍ହା ଶିକାର କରିବାକୁ ନେଇଥିଲେ। ତେବେ ତାଙ୍କ ସହ ଯାଇଥିବା ଅନ୍ୟ ଦୁଇ ଜଣଙ୍କର ଏଯାଏ କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଖବର ପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁଙ୍କ ସମେତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏନେଇ ଅପମୃତ୍ୟୁ ମାମଲା ନମ୍ବର ୧୦/୨୬ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଚିକିତ୍ସାଳୟକୁ ପଠାଯାଇଛି।
ଉକ୍ତ ପଞ୍ଚାୟତର ନାଞ୍ଜୁରା ଗ୍ରାମରେ ପ୍ରାୟ ୫ ବର୍ଷ ପୂର୍ବେ ମଧ୍ୟ ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିଲା। ତଥାପି ବେଆଇନ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଘଟଣା ଥମିବାର ନାଁ ନେଉନାହିଁ। ଅନ୍ୟପକ୍ଷରେ ବୁଧବାର ଛାଡ଼ଖାଇ ଥିବାରୁ ଅଭ୍ୟାସଗତ ଶିକାରୀମାନେ ସକ୍ରିୟ ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ପତ୍ନୀ ସାବିତ୍ରୀ ଓ ଦୁଇ ଝିଅ ଅସହାୟ ହୋଇପଡ଼ିଛନ୍ତି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଏବଂ ଦୁଇ ସାଥୀ ଶିକାରୀ କେଉଁଠି ଅଛନ୍ତି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।