ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏଲ୍‌ଟି ଲାଇନ୍‌ ତାର ଛିଣ୍ଡି ତଳେ ପଡ଼ିବାରୁ ୬ଟି ମେଣ୍ଢା ଓ ଗୋଟିଏ ଛେଳିର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଲାଗି ରହିଥିଲା। ଏହି ସମୟରେ ଡୁବୁଲି ଛକ ନିକଟରେ ଥିବା ଏକ ଲୁହା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ଖୁଣ୍ଟରୁ ବିଦ୍ୟୁତ ତାର ତଳକୁ ଛିଣ୍ଡି ପଡ଼ିଥିଲା। ତାରଟି ତଳେ ଚରୁଥିବା ମେଣ୍ଢା ଓ ଛେଳିଙ୍କ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ୬ଟି ମେଣ୍ଢା ଓ ଗୋଟିଏ ଛେଳିର ମୃତ୍ୟୁ ଘଟିଥିଲା।

ମୃତ ଗୋଟିଏ ଛେଳି ଓ ମେଣ୍ଢାଗୁଡ଼ିକ ଛତ୍ରପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଜି. ଦଣ୍ଡପାଣି ପାତ୍ରଙ୍କ ବୋଲି ଜଣାପଡ଼ିଛି। ଘଟଣା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ତାର ସରବରାହ ବନ୍ଦ କରାଯାଇ ଭାଙ୍ଗିଥିବା ଖୁଣ୍ଟ ଓ ବିଦ୍ୟୁତ ତାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share