Categories: ଖେଳ

ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍‌ରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମିଲ କରାଯାଇ ନ ପାରେ। ଶାମି ଫିଟ୍‌ ହେଉ ନ ଥିବାରୁ ତାଙ୍କୁ ବିସିସିଆଇ ଚୟନ କମିଟି ନିଜ ରାଡାରରେ ରଖିନାହିଁ। କାରଣ କମିଟି ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ କରି ସୁଯୋଗ ଦେଇପାରେ ବୋଲି କୁହାଯାଇଛି। ସମ୍ଭବତଃ ବରିଷ୍ଠ ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାରଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ସ୍କ୍ବାଡରେ ସାମିଲ କରି ପାରନ୍ତି। ଅପରପକ୍ଷେ ଆସନ୍ତା ୧ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ଶାମିଙ୍କୁ ଦେଖିବାକୁ ମିଳିବ।
ଶାମିଙ୍କୁ ଗତବର୍ଷ ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା।ତାଙ୍କ ସହ ଦ୍ରୁତ ବୋଲର ଭାବେ ଜସପ୍ରିତ ବୁମ୍‌ରା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ପ୍ରମୁଖ ସାମିଲ ଥିଲେ। ହେଲେ ବର୍ତ୍ତମାନ ଭାରତୀୟ ଟିମ୍‌ରେ ହର୍ଷଲ ପଟେଲ, ଆବେଶ ଖାନ, ଉମରାନ ମଲିକଙ୍କ ଭଳି ଅନେକ ବୋଲର ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଏମାନଙ୍କୁ ଚୟନକର୍ତ୍ତା ସାମିଲ କରିପାରନ୍ତି ବୋଲି କୁହାଯାଉଛି।

Share