ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ ଏଠି ଚର୍ଚ୍ଚା ବେଶି ହୁଏ। ଜିଲାର ୭୦ଟି ପଞ୍ଚାୟତ, ତିନୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏଠି ଚାଲିଛି ଭିନ୍ନ ରାଜନୀତି। କେତେଜଣ ନେତାଙ୍କୁ ଘାରିଛି ବିଧାୟକ ହେବା ନିଶା। କେତେଜଣ ନେତ୍ରୀ ମଧ୍ୟ ବିଧାୟିକା ହେବା ଆଶାରେ ଅଛନ୍ତି। ଏହି ପଦବୀ ପାଇଁ ନେତ୍ରୀନେତାମାନଙ୍କୁ ଚିନ୍ତା ଘାରିଛି। କେମିତି ବିଧାୟକ ହେବେ। ସବୁ ଦଳରେ କେତେଜଣ ଏମିତି ନେତ୍ରୀନେତା ରହିଛନ୍ତି ଯେଉଁମାନେ ଟିକେଟ ପାଇବେ କି ନାହିଁ ପଛ କଥା, କିନ୍ତୁ ଏବେଠାରୁ ବିଧାୟକ ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ବିଧାୟକ ହେବାର ସ୍ବପ୍ନ ଯୋଗୁ ନେତା ନେତା ମଧ୍ୟରେ ବିଭେଦ ସୃଷ୍ଟି ହୋଇ ଦଳରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଲାଣି। ସବୁ ଦଳରେ ଭିତରେ ଭିତରେ ଗୋଷ୍ଠୀକନ୍ଦଳ ବଢିଚାଲିଛି। ଏପରିକି ସହରରେ ରହୁଥିବା ନେତ୍ରୀନେତାମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଗାଁରେ ବୁଲି ଖେଳକୁଦରେ ଅତିଥି ହେଉଛନ୍ତି। ବୈଠକ କରି ସଙ୍ଗଠନ ସୁଦୃଢ଼ କରୁଛନ୍ତି। ପଦଯାତ୍ରା କରୁଛନ୍ତି। ଏପରିକି ଗାଁଗାଁ ବୁଲି କାହା ଘରେ ବସି ଭୋଜନ କରିବା, କାହା ଘରେ ଛୋଟ ଛୋଟ ଛୁଆମାନଙ୍କୁ କାଖେଇ ନେବା, କାହାକୁ ମଉସା, କାହାକୁ ମାଉସୀ କହି କୁଣ୍ଢେଇ ପକାଉଛନ୍ତି। ଗାଁରେ ହିଡ଼, ବିଲ ରାସ୍ତା, କାଦୁଅ ରାସ୍ତା କିଛି ମାନୁ ନାହାନ୍ତି। ଗାଁ ଲୋକଙ୍କ ଦୁଃଖକଷ୍ଟରେ ସାମିଲ ହେବା ଭଳି ଅଭିନୟ ମଧ୍ୟ କରୁଛନ୍ତି। ଏପରି ଅନେକ ନାଟକବାଜି କରୁଥିବା ଦେଖିବାକୁ ମିଳୁଛି। କେଉଁ ଗାଁରେ ବୁଲିଲେ, କ’ଣ କାର୍ଯ୍ୟକ୍ରମ କଲେ, କାହାକୁ ଭେଟିଲେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆ, ଫେସବୁକରେ ପୋଷ୍ଟ କରାଯାଉଛି। ସହରୀ ନେତା ଗାଁକୁ ଯାଇ ସଙ୍ଗଠନ କରି ବିଧାୟକ ହେବାର ସ୍ବପ୍ନ ଦେଖୁଥିବା ବେଳେ ଗାଁରେ ବିଧାୟକ ହେବାକୁ ସ୍ବପ୍ନ ଦେଖୁଥିବା କିଛି ନେତା ସହରୀ ନେତାଙ୍କୁ ସହି ପାରୁନାହାନ୍ତି। ଏନେଇ ଗୋଷ୍ଠୀ କନ୍ଦଳ ବଢୁଛି। ଗାଁ ନେତା ସହରୀ ନେତାଙ୍କ ମଧ୍ୟରେ ବେଳେବେଳେ ଟଣାଓଟରା ଭଳି ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳୁଛି। ସହରବାସୀଙ୍କ କହିବା ଅନୁଯାୟୀ ଗାଁରୁ ଆସିଥିବା ନେତାମାନଙ୍କୁ ସହରବାସୀ ହଜମ କରିପାରୁନାହାନ୍ତି, ସବୁଆଡ଼େ ଚର୍ଚ୍ଚା ହେଉଛି ଭଲ ନେତା ଦରକାର। ଏପରି ପରିସ୍ଥିତିରେ ଦେବଗଡ଼ ରାଜନୀତିରେ କିଏ ଟିକଟ ପାଇବ ଓ କାହାକୁ ଭୋଟରମାନେ ଭୋଟ ଦେବେ। ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ଦେଖାଯାଉ କିଏ କେଉଁ ଦଳର ଟିକଟ ନେଉଛି। ଏଥର ଭଲ ଲୋକଙ୍କୁ ଭୋଟ ଦେବେ ବୋଲି ଲୋକ ମନସ୍ଥ କରିଥିବା ଜଣାପଡ଼ିଛି।