ନିର୍ବାଚନୀ ହିଂସା: ଗୁଳିମାଡ଼ରେ ଯୁବକ ଗୁରୁତର

ନୂଆପଡ଼ା ଅଫିସ,୧୬।୩: ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ଅଧୀନ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
ଜଣେ ଗୁଳିମାଡ଼ରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ବଲାଙ୍ଗୀର ଜିଲା ଚିତ୍ରାମୁଣ୍ଡା ଗାଁର ରୂପେଶ ସାହୁ (୩୦) । ରୂପେଶ ଭିଣୋଇ ଘରକୁ ଆସିଥିଲେ। ତାଙ୍କ ଭିଣୋଇ ଈଶ୍ୱର ମୋହନ ସାହୁଙ୍କ ପୁଅ।
ପ୍ରାପ୍ତ ସୂଚନାନୁସାରେ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୁରୁମପୁରି ପଞ୍ଚାୟତର ଲିମଡିହି ଗାଁ ୧୦ ନମ୍ବର ୱାର୍ଡରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବରେ ମୋହନଙ୍କ ବିପକ୍ଷରେ ରାମଗୁଲାଲ ଶବର ଛିଡା ହୋଇଥିଲେ ା ରାମଗୁଲାଲ ଶବର ବିଜୟୀ ହୋଇଥିଲେ। ହେଲେ ବିଜୟୀ ପ୍ରାର୍ଥୀ ରାମଗୁଲାଲଙ୍କ ୩ ସନ୍ତାନ ଥିବା ଅଭିଯୋଗରେ ମୋହନ ଆର୍‌ଟିଆଇରୁ ତଥ୍ୟ ମାଗିଥିଲେ । ଏଥିରେ ରାଗି ଯାଇ ରାମଗୁଲାଲଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ ମୁଖାପିନ୍ଧା ଯୁବକ ମୋହନଙ୍କ ଗ୍ରୀଲ୍‌ ପାଖକୁ ଯାଇ ଗାଳିଗୁଲଜ କରିବାରୁ ସେ ଓ ତାଙ୍କ ସ୍ତ୍ରୀ ଏବଂ ରୂପେଶ ବାହାରକୁ ଆସିଥିଲେ। ପରେ ଯୁବକମାନେ ଗ୍ରୀଲ୍‌ ଫାଙ୍କରେ ଗୁଳି ଚାଳନା କରିଥିଲେ। ଗୁଳି କାନ୍ଥରେ ବାଜି ରିଟର୍ନ ଆସି ରୂପେଶଙ୍କ ମୁଣ୍ଡ ଓ ମୁହଁରେ ବାଜିଥିଲା। ପରିବାର ଲୋକଙ୍କ ପାଟି ଶୁଣି ପଡ଼ୋଶୀ ଆସିବାରୁ ଦୁର୍ବୃତ୍ତ ସେଠାରୁ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ରୂପେଶଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲଖନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛିି।