Categories: ଜାତୀୟ

ନେତାଙ୍କ ପୁଅଙ୍କୁ ନିର୍ବାଚନ ଟିକେଟ

ବେଲଗାଭି,୨୧।୧୨: କର୍ନାଟକରେ ବଂଶଗତ ରାଜନୀତି ଜୋର୍‌ ଧରିଛି। ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଜେଡିଏସ୍‌ ସୋମବାର ୯୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ, ପୂର୍ବତନ ମନ୍ତ୍ରୀ ଜି.ଟି. ଦେବେଗୌଡ଼ାଙ୍କ ପୁଅ ଜି.ଟି. ହରିଶଗୌଡ଼ା, ରାଜ୍ୟ ଜେଡିଏସ୍‌ ସଭାପତି ସି.ଏମ୍‌. ଇବ୍ରାହିମ୍‌ଙ୍କ ପୁଅ ସି.ଏମ୍‌. ଫୟାଜଙ୍କ ନାଁ ରହିଛି। ନିଖିଲ ରାମନଗର ଆସନରୁ ନିର୍ବାଚନ ଲଢ଼ିବେ। ଏବେ ଏହି ଆସନରୁ ତାଙ୍କ ମାଆ ଅନୀତା ବିଧାୟିକା ଅଛନ୍ତି। ସେହିପରି ହରିଶ ମହୀଶୂର ଜିଲାର ହୁନ୍‌ସୁରରୁ ପ୍ରାର୍ଥୀ ହୋଇଛନ୍ତି। ଏଚ୍‌.ଡି. କୁମାରସ୍ବାମୀ ଚନ୍ନାପାଟନା ଆସନରୁ ଲଢ଼ିବେ। ସେ ୨୦୧୮ରେ ଉକ୍ତ ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ଜି.ଟି.ଦେବେଗୌଡ଼ା ଚାମୁଣ୍ଡେଶ୍ୱରୀ ଆସନରୁ ପୁନର୍ବାର ନିର୍ବାଚିତ ହେବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୮ରେ ସେ ଏହି ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟାଙ୍କୁ ହରାଇଥିଲେ। ୨୦୨୩ ନିର୍ବାଚନ ନିଖିଲଙ୍କ ପାଇଁ ଦ୍ୱିତୀୟ ଲଢ଼େଇ। ସେ ୨୦୧୯ରେ ମାଣ୍ଡ୍ୟା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ। କୁମାରସ୍ବାମୀ ତାଙ୍କ ଉତ୍ତରାଧିକାରୀ ଭାବେ ନିଖିଲଙ୍କୁ ବିଧାନସଭାକୁ ପଠାଇବାକୁ ଚାହୁଁଛନ୍ତି। ସେହିପରି ଜି.ଟି. ଦେବେଗୌଡ଼ା ଓ ତାଙ୍କ ପୁଅ ଯେପରି ଭାଜପା କିମ୍ବା କଂଗ୍ରେସକୁ ନ ଡିଅନ୍ତି, ସେଥିପାଇଁ ଜେଡିଏସ୍‌ ସେମାନଙ୍କୁ ଟିକେଟ ଦେଇଛି।

Share