Categories: ଜାତୀୟ

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି ପ୍ରାର୍ଥୀ ସ୍ବର୍ଗତ କାଜଲ ସିହ୍ନାଙ୍କ ପତ୍ନୀ ନନ୍ଦିତା ସିହ୍ନା ଖାର୍ଦା ଥାନାରେ ଏଭଳି ଅଭିଯୋଗ କରିିଛନ୍ତି। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଟିଏମ୍‌ସି ପ୍ରାର୍ଥୀ କାଜଲଙ୍କ ମୃତ୍ୟୁ ରବିବାର ଘଟିଥିଲା।

ନିର୍ବାଚନ ଆୟୋଗ ଅଧିକାରୀଙ୍କ ଅବହେଳା ଯୋଗୁ ମୋ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ୩ ପୃଷ୍ଠା ବିଶିଷ୍ଟ ଅଭିଯୋଗରେ ଦର୍ଶାଇଛନ୍ତି ନନ୍ଦିତା। ନିର୍ବାଚନ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପ୍ରତି ଆଖି ବୁଝି ଦେଇଥିଲେ ନିର୍ବାଚନ ଆୟୋଗ। ଏହି କାରଣରୁ ମୋ ସ୍ବାମୀ କାଜଲଙ୍କ ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଛି। ତେବେ ଏହି ଅଭିଯୋଗ ଉପରେ ଇସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

ଷଷ୍ଠ, ୭ମ ଓ ୮ମ ପର୍ଯ୍ୟାୟ ନିର୍ବାଚନକୁ ଏକାଥରେ କରାଇବା ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ଇସି ନିକଟରେ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ପୂରା ଦେଶ କୋଭିଡ୍‌-୧୯ ଦ୍ୱିତୀୟ ଲହରରେ ସଂଘର୍ଷ କରୁଥିବାବେଳେ ପୂର୍ବ ନିର୍ଦ୍ଧାରିତ ୮ ପର୍ଯ୍ୟାୟରେ ନିର୍ବାଚନ କରିଥିଲା ଇସି। ଏହା ତୁଳନାରେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ଦିନରେ ନିର୍ବାଚନ ଶେଷ ହୋଇଥିବାବେଳେ ଆସାମରେ ୩ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏପ୍ରିଲ ୧୬ ତାରିଖରେ ମୋ ସ୍ବାମୀ କରୋନା ଭାଇରସ ସଂସ୍ପର୍ଶରେ ଆସିବା ପୂର୍ବରୁ ଇସିଙ୍କ ନିକଟକୁ ପତ୍ର ଲେଖିଥିଲା ଏଆଇଟିସି, ଯେଉଁଥିରେ କରୋନା ସଂକ୍ରମଣର ହାର ବଢ଼ିବାର ସମ୍ଭାବନା ଦର୍ଶାଯାଇଥିଲା। କେନ୍ଦ୍ରୀୟ ସୁରକ୍ଷା ବଳ ଜାଣିଶୁଣି କୌଣସି ପଦକ୍ଷେପ ନେଇ ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ନନ୍ଦିତା।

Share