Categories: ଖେଳ

ଆନନ୍ଦ ଫିଡେର ଉପସଭାପତି ନିର୍ବାଚିତ

ଚେନ୍ନାଇ, ୮ା୮(ପି.ଟି.): ଭାରତୀୟ ଚେସ୍‌ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ରବିବାର ଅନ୍ତର୍ଜାତୀୟ ଚେସ୍‌ ମହାସଂଘ (ଫିଡେ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆର୍କାଡି ଡିଭୋରକୋଭିଚ୍‌ ପୁନର୍ବାର ମହାସଂଘର ସଭାପତି ହୋଇଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଆନନ୍ଦ ହେଉଛନ୍ତି ଡିଭୋରକୋଭିଚ୍‌ଙ୍କ ଦଳର ଅଂଶବିଶେଷ। ଡିଭୋରକୋଭିଚ୍‌ଙ୍କୁ ୧୫୭ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆନ୍ଦ୍ରି ବେରିସ୍‌ପୋଲେଟ୍ସଙ୍କୁ ମାତ୍ର ୧୬ଟି ଭୋଟ ମିଳିଥିଲା। ଗୋଟିଏ ଭୋଟ୍‌ ନାକଚ ହୋଇଯାଇଥିବା ବେଳେ ୫ଜଣ ଭୋଟଦାନରୁ ବିରତ ରହିଥିଲେ। ଏଠାରେ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ସହିତ ଫିଡେ କଂଗ୍ରେସ ସମୟରେ ବିଶ୍ୱ ଚେସ୍‌ ପରିଷଦର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଅନେକ ଟାଇଟଲ ଓ ସମ୍ମାନ ପାଇଛନ୍ତି।

ବର୍ତ୍ତମାନ ସେ ଟୁର୍ନାମେଣ୍ଟ ଖେଳିବା କମାଇଦେବା ସହ କୋଚିଂ ଉପରେ ଧ୍ୟାନ ଦେଉଛନ୍ତି। ବାଲ୍ୟକାଳରୁ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ। ବିଶ୍ୱ ଜୁନିୟର ଟାଇଟଲ ଜିତିବା ପରେ ସେ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ହୋଇଥିଲେ। ଏହାପରଠାରୁ ସେ ଚେସ୍‌ରେ ବିଶ୍ୱସ୍ତରରେ ଭାରତର ନେତୃତ୍ୱ ନେଇ ଆସୁଛନ୍ତି। ସେ ଆହୁରି ମଧ୍ୟ ୫ଟି ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଶେଷଥର ସେ ୨୦୧୭ରେ ବିଶ୍ୱ ରାପିଡ୍‌ ଟାଇଟଲ ଜିତିଥିଲେ। ବର୍ତ୍ତମାନ ଅଲିମ୍ପିଆଡ୍‌ ଖେଳୁଥିବା ଦଳରେ ଯଦିଓ ସେ ସାମିଲ ହୋଇନାହାନ୍ତି ତେବେ ଭାରତୀୟ ଦଳର ଖେଳ ଉପରେ ନଜର ରଖିଛନ୍ତି।

Share