Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ଟ୍ରିପଲ ଜମ୍ପ ଫାଇନାଲରେ ପ୍ରବେଶ କଲେ ଏଲଡୋଶ ପଲ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତର ଏଲଡୋଶ ପଲ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରେ ରହିଥିଲେ। ସେ ଗ୍ରୁପ ପର୍ଯ୍ୟାୟରେ ୬ଷ୍ଠ ଓ ଓଭର ଅଲ ୧୨ତମ ସ୍ଥାନରେ ରହି ରବିବାର ସକାଳ ୬.୫୦ରେ ଖେଳାଯିବାକୁ ଥିବା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟ୍ରିପଲ ଜମ୍ପ ଇଭେଣ୍ଟରେ ଏଲଡୋଶ ପଲ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି।
୨୫ ବର୍ଷୀୟ ପଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୬.୯୯ ମିଟର। ସେ ଏପ୍ରିଲରେ ଖେଳା ଯାଇଥିବା ଫେଡରସନ କମ ଟ୍ରିପଲ ଜମ୍ପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପଲ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଭାରତ ଅନ୍ୟ ଦୁଇ ଖେଳାଳି ପ୍ରବୀଣ ଚିତ୍ରାଭେଲ ଓ ଅବଦୁଲ୍ଲା ଅବୋବାକେର ଏହି ରେସ୍‌ରୁ ବାଦ ପଡିଥିଲେ।
ଏହାପୂର୍ବରୁ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପୂର୍ବରୁ ସୁନା ପୁଅ ନୀରଜ ପ୍ରବେଶ କରିଥିବା ବେଳେ ଏବେ ରୋହିତ ଯାଦବ ମଧ୍ୟ ପଦ ଦୌଡରେ ସାମିଲ ହୋଇଛନ୍ତି। ନୀରଜ ଗ୍ରୁପ ଏର ପ୍ରଥମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ରୋହିତ ଗ୍ରୁପ ବିରେ ରହିଥିଲେ। ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ରବିବାର ଫାଇନାଲ ପାଇଁ ଟିକେଟ ହାସଲ କରିଛନ୍ତି। ପ୍ରଥମଥର ପାଇଁ ଭାରତର ଦୁଇ ଜାଭେଲିନ ଥ୍ରୋୟର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛନ୍ତି।

Share