ବାଲେଶ୍ୱର,୨୬।୨(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଟାଉନ ଥାନା ଅଧୀନ ନୁରୁପୁର ରୋଡ଼ରେ ଗୁରୁବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ମା’ ସ୍ଥାନୀୟ ଲୋକଙ୍କୁ ଜଣାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ମା’, ଝିଅ ଓ ସମ୍ପୃକ୍ତ ଅପରିଚିତା ବୃଦ୍ଧାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ମହିଳାଙ୍କ ବେଶଭୂଷାରୁ ସେ କୌଣସି ଦକ୍ଷିଣାତ୍ୟ ରାଜ୍ୟର ଲୋକ ହୋଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପିଲା ଚୋରି ନେଇ ଭୟ ପ୍ରକାଶ ପାଇଛି।
ଗୁରୁବାର ପରମିଟଘାଟ ଅଞ୍ଚଳର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ନୁରୁପୁର ରୋଡ଼ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାହାରେ ସ୍କୁଲ ବ୍ୟାଗ ଧରି ଛିଡ଼ା ହୋଇଥିବା ବେଳେ ଜଣେ ବୃଦ୍ଧା ପିଲାଟିକୁ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଅଜଣା ସ୍ଥାନକୁ ନେଇଯାଉଥିଲେ। ଛାତ୍ରୀଙ୍କ ମା’ ଅପରପାଶର୍ବରୁ ଆସୁଥିବା ଦେଖି କୁନି ଛାତ୍ରୀଜଣଙ୍କ ନିଜ ମା’ଙ୍କୁ ଡାକି ସବୁ କଥା କହି ଦେଇଥିଲେ।

