ଉଦଳା, ୨୪ା୧୦ (ସନ୍ତୋଷ): ନଦୀ ପଠାରେ ପଡ଼ିଥିଲା ଚପଲ ଓ ଗଞ୍ଜି। ହେଲେ ବୃଦ୍ଧଙ୍କର ମିଳୁ ନ ଥିଲା ପତ୍ତା। ନଦୀରେ ବୁଡ଼ିଯାଇଥିବା ସନ୍ଦେହରେ ରାତିରେ ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ଶେଷରେ ପ୍ରାୟ ୨୦ ଘଣ୍ଟା ପରେ ନଦୀର ଗଣ୍ଡରୁ ମିଳିଛି ବୃଦ୍ଧଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ କଇଁସାରି ଦେଓ ନଦୀର ଜାମୁଘାଟ ପୋଲ ନିକଟରେ। ମୃତକ ହେଲେ କଇଁସାରି ଗ୍ରାମର ମାୟାଧର ନାୟକ।
ସୂଚନା ଅନୁଯାୟୀ, ମାୟାଧର ଗତକାଲି ସକାଳ ପ୍ରାୟ ୧୧ଟାରେ ଦେଓ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ନଦୀ ପଠାରେ ତାଙ୍କ ଚପଲ ଓ ଗଞ୍ଜି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିରୁ ସେ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ରାତିରେ ଖୁଣ୍ଟା ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଶନିବାର ସକାଳେ ଉଦଳା ଅଗ୍ନିଶମ ବିଭାଗ ପକ୍ଷରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଖୋଜାଖୋଜି ପରେ ନଦୀର ଗଣ୍ଡ ଭିତରେ ପ୍ରାୟ ୧୭ ଫୁଟ ଗଭୀରରେ ଏକ ପଥରରେ ଲାଗି ରହିଥିବା ଅବସ୍ଥାରେ ମାୟାଧରଙ୍କୁ ଠାବ କରାଯାଇଥିଲା।
ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ନେଇଥିଲେ। ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।