ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି। ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିବା ଜଣେ ବୃଦ୍ଧଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ପ୍ରକାଶ ଚନ୍ଦ୍ର ବେହେରା(୬୫) ମାଛ ଧରିବାକୁ ନଦୀକୁ ଯାଇଥିଲେ। ଅସାବଧାନତା ବଶତଃ ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେତିକିବେଳେ ପରିବାର ଲୋକେ ନଦୀକୂଳରୁ ତାଙ୍କ ସାଇକେଲ ଓ ଚପଲ ପାଇଥିଲେ। ପରେ ହିଞ୍ଜିଳି ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରକାଶଙ୍କ କୌଣସି ସନ୍ଧାନ ପାଇ ନ ଥିଲେ। ଭୋରରେ ଗ୍ରାମର କିଛି ଲୋକ ନଦୀକୁ ଯାଇଥିବା ବେଳେ ପ୍ରକାଶ ଏକ ଗଛ ଶାଖାକୁ ଧରି ରାତିସାରା ପାଣିରେ ଓହଳି ରହିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।