ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଅନଙ୍ଗପୁର ଗ୍ରାମର ସୀମା ସେଠୀ (୬୫)। ସେ ରାସ୍ତା ପାର ହେଉଥିବା ସମୟରେ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ହୋଣ୍ଡା ୟୁନିକର୍ଣ୍ଣ ( ଓଡି୦୭ ଏଆର ୨୫୮୧) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଦୁଇଟି ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ସଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ।
ଘଟଣାପରେ ସ୍ଥାନୀୟ ବହୁ ସଂଖ୍ୟକ ଗ୍ରାମବାସୀ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିଲା। ଦିଗପହଣ୍ଡି ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରାୟ ୧ ଘଣ୍ଟା ପରେ ପ୍ରତ୍ୟାହୃତ ହୋଇଥିଲା। ଦିଗପହଣ୍ଡି ଅଗ୍ନିଶମ ବାହିନୀ ବୃଦ୍ଧଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।


