Categories: ଫୁରସତ

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ନିଜର ଚାକିରି, ଖୁସି ଓ ସମସ୍ତ ପ୍ରକାରର ମନୋରଞ୍ଜନଠାରୁ ଦୂରେଇ ରହିଛନ୍ତି। ସବୁ ଲୋକଙ୍କ ମନରେ ଗୋଟିଏ କଥା କରୋନାଠାରୁ କେବେ ମୁକ୍ତି ମିଳିବ। ଇତିମଧ୍ୟରେ ସମୁଦ୍ରର ପ୍ରବଳ ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଜଣେ ବୃଦ୍ଧ ଦମ୍ପତି ଡ୍ୟାନ୍ସ କରି ସମସ୍ତଙ୍କୁ ଜୀବନ ଜିଇଁବାର କଳା ଶିଖାଇଛନ୍ତି। ଦୁଃଖ ହେଉ କି କଷ୍ଟ ସବୁ ପରିସ୍ଥିତିରେ କିଭଳି ହସିଖେଳି ନିଜ ଜୀବନ ବିତାଇବା ତାହା ଏହି ଭିଡିଓରୁ ଜଣାପଡ଼ୁଛି। କାରଣ ଜୀବନ ଆଜି ଅଛି କାଲି କି ନାହିଁ।

ତେବେ ବୃଦ୍ଧ ଦମ୍ପତିଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧ ଦମ୍ପତି ଜଣଙ୍କ ଡ୍ୟାନ୍ସ କରୁଥିବା ବେଳେ ବ୍ରେକ୍‌ଗ୍ରାଉଣ୍ଡରେ ଏକ ରୋମାଣ୍ଟିକ ଗୀତ ବାଜୁଛି। ଗୋଟିଏ ପଟେ ରୋମାଣ୍ଟିକ ଗୀତର ତାଳେ ତାଳେ ବୃଦ୍ଧ ଦମ୍ପତି ଝୁମୁଥିବା ବେଳେ ଅନ୍ୟପଟେ ସମୁଦ୍ରର ଜୁଆର ବେଶ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିଲେ ଯେକେହିବି ପ୍ରଫୁଲ୍ଲିତ ହୋଇପଡ଼ିବେ। ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓକୁ ଆମେରିକାର ଜଣେ ଅଭିନେତ୍ରୀ ଶେୟାର କରିଛନ୍ତି। ହଲିଉଡ୍‌ର ପପୁଲାର ଅଭିନେତ୍ରୀ ଜେସିକା ଚାଷ୍ଟେନ୍‌ ନିଜ ଇନ୍‌ଷ୍ଟଗ୍ରାମରେ ଏହି ଭିଡିଓକୁ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ଆଇ ଲଭ୍‌। ଭିଡିଓଟି ଶେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ୟୁଜର୍ସମାନେ ଲକ୍ଷାଧିକ ଲାଇକ୍‌ ଓ କମେଣ୍ଟ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।

Share