ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର କହ୍ନେଇଙ୍କ ବଡ଼ଭାଇ ହରି ପ୍ରଧାନ(୬୨) ଏବଂ ପୁତୁରା ବାଲ୍ମୀକି ପ୍ରଧାନ ଓରଫ ସିପୁ(୨୬) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲା ନଂ.୨୦୦/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୯୧(୨)/୧୯୧(୩)/୩୩୩/୨୯୬/୧୧୫(୨)/୧୧୭(୨)/୧୦୯/୧୫୧(୨)/୧୯୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ବାପ,ପୁଅ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ଗତ ମେ ୧ ତାରିଖ ସା ପ୍ରାୟ ସାଢେ ୭ ଟାରେ ହରି ଏବଂ ତାଙ୍କ ପରିବାର ଲୋକେ କହ୍ନେଇଙ୍କ ଘରେ ପଶି ତାଙ୍କୁ ଜବରଦସ୍ତ ଟାଣି ନେଇ ଘର ସମ୍ମୁଖରେ ତଳେ ପକାଇ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ।କହ୍ନେଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ଏନେଇ କହ୍ନେଇ ଙ୍କ ସ୍ତ୍ରୀ ଅନୁସୁୟା ପ୍ରଧାନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ସମସ୍ତ ଅଭିଯୁକ୍ତ ମାନଙ୍କ ନାଁରେ ମକଦ୍ଦମା ରୁଜୁ କରିଥିଲେ।ଘଟଣା ପରଠାରୁ ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିଲେ।ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ଅଭିଯୁକ୍ତ ହରି ଏବଂ ତାଙ୍କ ପୁଅ ବାଲ୍ମୀକି ଘରେ ଥିବା ଖବରପାଇ ପୋଲିସ ଟିମ ତାଙ୍କ ଘରେ ଅତର୍କିତ ଚଢାଉ କରି ବାପ,ପୁଅଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ।ପୂର୍ବରୁ ଅଭିଯୁକ୍ତ ହରି ଙ୍କ ପୁଅ ବାଲ୍ମୀକି ଓରଫ ସିପୁ, ରିପୁ,କେ. ନୂଆଗାଁ ଥାନା ତଣ୍ଡିପୁର ଗ୍ରାମର ଜ୍ବାଇଁ ନିରଞ୍ଜନ ପ୍ରଧାନ,ସ୍ତ୍ରୀ ପଦ୍ମାବତୀ କହ୍ନେଇ ଙ୍କ ପରିବାର ଲୋକଙ୍କୁ ଘରେ ପଶି ଧମକ ଦେଇଥିଲେ।ଏନେଇ କହ୍ନେଇଙ୍କ ଝିଅ ସୁନା ପ୍ରଧାନ ଗତ ଏପ୍ରିଲ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଥାନା ମାମଲା ନଂ.୧୫୮/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୩୨୯(୪)/୨୯୬/୧୧୫(୨)/୩୫୧(୪)/୩(୫) ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଏହି ମାମଲାକୁ କେନ୍ଦ୍ରକରି ଅଭିଯୁକ୍ତମାନେ ଗତ ମେ ୧ ତାରିଖରେ କହ୍ନେଇଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

 

Odisha’s No.1 Odia Daily

Share