ଭାଇକୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ବଡ଼ ଭାଇ

ନାକଟିଦେଉଳ,୧୯ା୧୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଧୀନ କିସିଣ୍ଡା ଗ୍ରାମ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ରେଢ଼ାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମର ଅଜିତ ପୃଷ୍ଟି (୨୭)।

ମିଳିଥିବା ସୂଚନା ମୁତାବକ, ଅଜିତଙ୍କ ବାପା ଭାଗିରଥୀ ପୃଷ୍ଟିଙ୍କ ପୃଷ୍ଟି ଟ୍ରାଭେଲ୍ସ ନାମରେ ଏକ ବସ୍‌ କିସିଣ୍ଡା ଅଞ୍ଚଳକୁ ଚଳାଚଳ କରୁଛି। ଏହି ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଥିବା ସାନପୁଅ ଅଜିତ କିସିଣ୍ଡାରେ ଏକ ଘର ଭଡ଼ା ନେଇ ରହୁଥିଲେ। ରବିବାର ଅଜିତ ଡ୍ୟୁଟି ସାରି ଭଡ଼ା ଘରକୁ ଫେରିଥିଲେ।

ସୋମବାର ସକାଳୁ ବଡ଼ଭାଇ ବୁଲୁ ଅଜିତଙ୍କ ମୋବାଇଲକୁ କଲ୍‌ କରିଥିଲେ ମଧ୍ୟ ତାହା ସୁଇଚ୍‌ ଅଫ୍‌ ଥିବା ଜଣାପଡିଥିଲା। ପରେ ସେ ଘର ମାଲିକଙ୍କୁ ଫୋନ କରି ଅଜିତଙ୍କୁ ଉଠାଇବାକୁ କହିଥିଲେ। ଘର ମାଲିକ ସେଠାରେ ପହଞ୍ଚିବା ପରେ ଅଜିତ ଛାତରେ ଓହଳି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ କିସିଣ୍ଡାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିଲେ। ତେବେ ଅଜିତଙ୍କର ୨ ଗୋଡ଼ ମାଟିରେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ବଡ଼ଭାଇ ବୁଲୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୨୮/୨୨) ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ କିସିଣ୍ଡା ଥାନା ଅଧିକାରୀ ଲୋକନାଥ ସାହୁ ପ୍ରକାଶ କରିଛନ୍ତି।