ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ବାରଡାଙ୍ଗ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଛି।
ବଡ଼ ଭାଇ ପରିବାର ସହିତ ସାନ ଭାଇ ତଥା ହୋମିଓପାଥି ଡାକ୍ତର ଗୋଲେଖ ଚନ୍ଦ୍ର ନାଉରୀ(୪୪) ଗୁରୁବାର ସନ୍ଧ୍ୟାରେ ମାଡପିଟ ହୋଇଥିଲା। ଏହି ଘଟଣାରେ ବଡ ଭାଇ ଅଭୟ ନାଉରୀ (୬୦), ସ୍ତ୍ରୀ ରାନୁ ବାଳା ନାଉରୀ (୬୦), ବିବାହିତ ଝିଅ ରିତୁ ନାଉରୀ (୨୩), ବୋହୂ ରାନୁ ଦାସ (୨୪) ସହିତ ଅଭୟଙ୍କ ସମୁଦୀ ଶରତ କୁମାର ସ୍ବାଇଁ ସାମିଲ ହୋଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ମୃତ ଗୋଲେଖଙ୍କ ସ୍ତ୍ରୀ କଳ୍ପନାଙ୍କ ଲିଖିତ ଅଭିଯୋଗ କ୍ରମରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶୁକ୍ରବାର ପୂର୍ବାହ୍ନରେ ଥାନା ଅଧିକାରୀ ମାନସ କୁମାର ମଲିକଙ୍କ ସମେତ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ରହିଛି। ଅପରାହ୍ନ ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହେବ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ କେସ ନମ୍ବର ୧୩୯/୨୬ ମାମଲା ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩ (୧) , ୧୧୫ (୨), ଓ ୩ (୫) ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଯୁବକ ଜ୍ବାଇଁ ଓ ପୁଅ ଫେରାର ଅଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ଥାନରେ ପହଞ୍ଚି ତଦନ୍ତ ପାଇଁ ଜୋରଦାର କରାଯାଇଛି ବୋଲି କୁହାଯାଉଛି।